ଏର୍ଣ୍ଣାକୁଲମ ୧୫।୧୦: ଆୟୁର୍ବେଦିକ ଚିକିତ୍ସା ନିମନ୍ତେ କେରଳର ଏର୍ଣ୍ଣାକୁଲମ ଜିଲ୍ଲା କୁଥଟ୍ଟୁକୁଲମ ଆସିଥିବା କେନ୍ୟା ବିରୋଧୀ ଦଳ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରେଲା ଓଡିଙ୍ଗାଙ୍କର ବୁଧବାର ମୃତ୍ୟୁ ହୋଇଛି। ପୋଲିସ ଓ ହସ୍ପିଟାଲ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଆୟୁର୍ବେଦିକ ନେତ୍ର ହସ୍ପିଟାଲର ମୁଖପାତ୍ର କହିଛନ୍ତି ଯେ ଓଡିଙ୍ଗା ସକାଳେ ହସ୍ପିଟାଲ ପରିସରରେ ଟହଲୁଥିବା ବେଳେ ଅଚାନକ ଅଚେତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ କୁଥଟ୍ଟୁକୁଲମର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
ପୋଲିସ ସୂଚନା ଅନୁସାରେ ଓଡିଙ୍ଗାଙ୍କ ପାର୍ଥୀବ ଶରୀର ଏବେ ହସ୍ପିଟାଲରେ ରହିଛି। ହସ୍ପିଟାଲ ମୁଖପାତ୍ର କହିଛନ୍ତି ଯେ ଓଡ଼ିଙ୍ଗା ଓ ତାଙ୍କ ପରିବାର ପୂର୍ବରୁ ମଧ୍ୟ ହସ୍ପିଟାଲ ଆସୁଥିଲେ। ଏହି ହସ୍ପିଟାଲରେ ଚିକିତ୍ସା ପରେ ତାଙ୍କ ଝିଅ ପୁଣି ଦେଖି ପାରିଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ ଓଡିଙ୍ଗାଙ୍କ ମୃତ୍ୟୁ ସୂଚନା ପ୍ରୋଟକଲ ଅନୁସାରେ ବିଦେଶୀ କ୍ଷେତ୍ରିୟ ପଞ୍ଜିକରଣ କାର୍ଯ୍ୟାଳୟ (ଏଫଆରଆରଓ)କୁ ପଠାଇ ଦିଆଯାଇଛି, ଯାହାଦ୍ୱାରା ଆବଶ୍ୟକ ପଦକ୍ଷେପ ନିଆ ଯାଇପାରିବ।
Deeply saddened by the passing of my dear friend and former Prime Minister of Kenya, Mr. Raila Odinga. He was a towering statesman and a cherished friend of India. I had the privilege of knowing him closely since my days as Chief Minister of Gujarat and our association continued… pic.twitter.com/Nmya9C3LZi
— Narendra Modi (@narendramodi) October 15, 2025
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ୟାର ପୂର୍ବତନ ପ୍ରଧାନମନ୍ତ୍ରୀ ରୈଲା ଓଡିଙ୍ଗାଙ୍କ ପରଲୋକରେ ଶୋକ ପ୍ରକଟ କରିଛନ୍ତି। ଏ ନେଇ ମୋଦି ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ତାଙ୍କୁ ଜଣେ ମହାନ ରାଜନେତା ଓ ଭାରତର ପ୍ରିୟ ମିତ୍ର ଭାବେ ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି ଯେ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଥରେ ଓଡିଙ୍ଗାଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ଭାରତ, ଆମ ସଂସ୍କୃତି ଓ ପ୍ରାଚୀନ ଜ୍ଞାନ ପ୍ରତି ତାଙ୍କର ଗଭୀର ଅନୁରକ୍ତି ଥିଲା।
ମୋଦି କହିଛନ୍ତି ଯେ ଓଡିଙ୍ଗା ଭାରତର ପାରମ୍ପରିକ ପ୍ରାକୃତିକ ଚିକିତ୍ସା ଆୟୁର୍ବେଦର ପ୍ରଶଂସକ ଥିଲେ। ସେ ତାଙ୍କ ଝିଅଙ୍କ ସ୍ୱାସ୍ଥ୍ୟରେ ଏହାର ସକରାତ୍ମକ ପ୍ରଭାବକୁ ପ୍ରତ୍ୟକ୍ଷ ରୂପେ ଅନୁଭବ କରିଥିଲେ। ଦୃଷ୍ଟି ଶକ୍ତି ହରାଇଥିବା ତାଙ୍କ ଝିଅ ଭାରତରେ ଆୟୁର୍ବେଦ ଚିକିତ୍ସା ପରେ ଦୃଷ୍ଟି ଶକ୍ତି ଫେରିପାଇଥିଲେ।




