ନୂଆଦିଲ୍ଲୀ: ବୁଧବାର ଜନଶୁଣାଣି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଜନଶୁଣାଣି ମୁଖ୍ୟମନ୍ତ୍ରୀଙ୍କ ସିଭିଲ ଲାଇନ୍ସସ୍ଥିତ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପକ୍ଷରୁ ଜାରି ବିବୃତ୍ତି ଅନୁସାରେ, ଜନଶୁଣାଣି ସମୟରେ ଜଣେ ବ୍ୟକ୍ତି ଅଭିଯୋଗ ନେଇ ସେଠାରେ ପହଞ୍ଚିଥିଲେ। ହେଲେ ଏହା ଏକ ବାହାନା ଥିଲା, ଏହି ବାହାନାରେ ସେ ମୁଖ୍ୟମନ୍ତ୍ରୀ ଗୁପ୍ତାଙ୍କ ପାଖକୁ ଯାଇଥିଲେ । ଚିତ୍କାର କରି ତାଙ୍କୁ ଚାପୁଡ଼ା ମାରିଥିଲେ। ତାଙ୍କୁ ଏବେ ଗିରଫ କରାଯାଇଛି।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରାଜେଶ ଭାଇ ଖିମଜୀ ନାମକ ଜଣେ ବ୍ୟକ୍ତି ଜନଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ କିଛି କାଗଜପତ୍ର ଦେଇଥିଲେ ଏବଂ ହଠାତ୍ ତାଙ୍କ ଉପରେ ଆକ୍ରମଣ କରିଥିଲେ। ସେ ପ୍ରଥମେ ପଥର ଫିଙ୍ଗିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହେବା ପରେ ମାରିଥିଲେ ଚାପୁଡ଼ା। ଏହାପରେ ସେ ତାଙ୍କ କେଶ ଟାଣିବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ଦିଲ୍ଲୀ ପୋଲିସ ତାଙ୍କୁ ତୁରନ୍ତ ଧରି ନେଇଥିଲେ। ଏହି ଘଟଣା ରାଜନୈତିକ ମହଲରେ ହଲଚଲ ସୃଷ୍ଟି କରିବା ସହ ସୁରକ୍ଷା ନେଇ ବଢ଼ାଇଛି ଚିନ୍ତା । ଏବେ ପ୍ରଶ୍ନ ଉଠୁଛି ଯେ, ଅଭିଯୁକ୍ତ ପ୍ରକୃତରେ କିଏ ? ସେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ କାହିଁକି କଲେ ଆକ୍ରମଣ ?
ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଗୁଜୁରାଟର ରାଜକୋଟର ବାସିନ୍ଦା ଏବଂ ତାଙ୍କ ବୟସ ପ୍ରାୟ ୪୧ ବର୍ଷ। ଜଣା ପଡ଼ିଛି ଅଭିଯୁକ୍ତ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଆବେଦନ ନେଇ ଆସିଥିଲେ । କିନ୍ତୁ ଏହି ମାମଲା ଏକ ନୂଆ ମୋଡ଼ ନେଇଛି। ଅଭିଯୁକ୍ତଙ୍କ ମାଆ ଭାନୁ ବେନ୍ କହିଛନ୍ତି, ତାଙ୍କ ପୁଅ କୌଣସି ରାଜନୈତିକ ଦଳ ସହିତ ଜଡ଼ିତ ନୁହଁନ୍ତି। ସେ ଜଣେ ପଶୁପ୍ରେମୀ। ତାଙ୍କ ମାଆ କହିଛନ୍ତି,” ବୁଲୁା କୁକୁରଙ୍କୁ ହଟାଇବାକୁ ସୁପ୍ରିମ କୋର୍ଟଙ୍କ ରାୟ ଉପରେ ମୋ ପୁଅ ଆଦୌ ଖୁସି ନଥିଲା। ମୋ ପୁଅ ବୁଲା କୁକୁରଙ୍କୁ ନେଇ ବହୁତ ଚିନ୍ତିତ। ସେ ସବୁବେଳେ କହୁଥିଲେ ଯେ, କୁକୁରମାନଙ୍କୁ ମାଡ଼ ମାରିବା ଉଚିତ୍ ନୁହେଁ, ସେମାନଙ୍କୁ ଖାଇବାକୁ ଦେବା ଉଚିତ୍। ଏହି କଥା ଜଣାଇବାକୁ ସେ ଦିଲ୍ଲୀ ଯାଇଥିଲେ।” ରାଜେଶଙ୍କ ପଡ଼ୋଶୀ ସୁରେଶ ଭାଇ ବି ସମାନ କଥା କହିଛନ୍ତି। ‘‘ସେ ପଶୁ ପ୍ରେମୀ। ସେ ବୁଲା କୁକୁର ଓ ଗାଈଙ୍କୁ ଖାଇବାକୁ ଦିଅନ୍ତି, ତାଙ୍କ ସେବା କରନ୍ତି। ’’
ରେଖା ଗୁପ୍ତା ୨୦୨୫ ଫେବ୍ରୁଆରୀରେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କୁ ଓ୍ଵାଇ-ପ୍ଲସ ଶ୍ରେଣୀର ସୁରକ୍ଷା ପ୍ରାପ୍ତ ହୋଇଛି। ଏହି ସୁରକ୍ଷା ବ୍ୟବସ୍ଥାରେ ଦିଲ୍ଲୀ ପୋଲିସର ସଶସ୍ତ୍ର ଜବାନ, ସ୍ଥାନୀୟ ପୋଲିସ ଏବଂ ବିଶେଷ ନିଯୁକ୍ତି ଅନ୍ତର୍ଭୁକ୍ତ। ଜନଶୁଣାଣି ଭଳି ସାର୍ବଜନୀନ କାର୍ଯ୍ୟକ୍ରମରେ ଅତିରିକ୍ତ ସୁରକ୍ଷା ବଳ ନିୟୋଜିତ ହୋଇଥାଏ। ତଥାପି, ଏହି ଘଟଣା ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟିକୁ ଉଜାଗର କରିଛି।୨୦୨୫ ଜୁନରେ ରେଖା ଗୁପ୍ତାଙ୍କୁ ଜୀବନରୁ ମାରିବାକୁ ଧମକ ମିଳିବା ପରେ ତାଙ୍କ ସୁରକ୍ଷାକୁ ଆହୁରି କଡ଼ା କରାଯାଇଥିଲା, କିନ୍ତୁ ଏହି ଆକ୍ରମଣ ସୁରକ୍ଷା ପ୍ରୋଟୋକଲର ଦୁର୍ବଳତାକୁ ସାମ୍ନାକୁ ଆଣିଛି।
ସେପଟେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା କହିଛନ୍ତି ଯେ ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆକ୍ରମଣ। ଆମ ଆଦମୀ ପାର୍ଟି ନେତ୍ରୀ ଆତିଶୀ ଏବଂ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ ମଧ୍ୟ ଏହି ଆକ୍ରମଣର ନିନ୍ଦା କରି କଡ଼ା କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି। ବିଜେପି ନେତା ରମେଶ ବିଧୁରୀ କହିଛନ୍ତି ଯେ ମୁଁ ଭାବୁଛି ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ କରିବାର ଏହି ପ୍ରୟାସ ଜନଶୁଣାଣିକୁ ପଥଭ୍ରଷ୍ଟ କରିବା ଉଦ୍ଦେଶ୍ୟରେ କରାଯାଇଛି।




