ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ। ଇରାନ୍ ଉପରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ କରିଛନ୍ତି । ସେପଟେ ଇରାନ୍ ମଧ୍ୟ ପ୍ରତି ଜବାବ ଦେଉଛି । ଇସ୍ରାଏଲ ଉପରେ ମାଡ଼ କରିଛି ଶହ ଶହ ମିସାଇଲ । ଏହା ସହ ଆମେରିକୀୟ ବେସ୍ ଥିବା ୬ରୁ ଅଧିକ ଦେଶ ଉପରେ ଆକ୍ରମଣ କରିଛି । ବାହାରିନ, ୟୁଏଇ, କୁଏତ, ସାଉଦି ଆରବ ଭଳି ଦେଶରେ ପ୍ରାୟ ୭ଟି ଆମେରିକୀୟ ସେନା ବେସ ଧ୍ବଂସ କରିଦେଇଛି ଇରାନ୍ । ଇରାନ୍ ସମର୍ଥନରେ ଚାରିଆଡ଼ୁ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି ହିଜବୁଲ୍ଲା ଏବଂ ହୁତି ବିଦ୍ରୋହୀ । ଇସ୍ରାଏଲ ହମାସ ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟ ଅସ୍ଥିର ଥିବା ବେଳେ, ଏବେ ଫୁଲ ସ୍କେଲ୍ ଓ୍ବାର ତୃତୀୟ ବିଶ୍ବଯୁଦ୍ଧର ଭୟ ବଢ଼ାଇଛି ।
ତେହେରାନ ସହିତ ଦୀର୍ଘ ଦିନ ଧରି ଚାଲିଥିବା ବିବାଦ ଶନିବାର ଯୁଦ୍ଧର ରୂପ ନେଇଛି । ଆମେରିକା ଏବଂ ଇସ୍ରାଏଲ ମିଳିତ ଆକ୍ରମଣ କରିଛନ୍ତି । ସେପଟେ ଇରାନ୍ ମଧ୍ୟ ପ୍ରତି ଜାବବ ଦେଉଛି । ମିଡିଲ୍ ଇଷ୍ଟରେ ଆରମ୍ଭ ହୋଇଥିବା ଆଉ ଏକ ଯୁଦ୍ଧ, ବିଶ୍ବକୁ ଅନିଶ୍ଚିତତା ଆଡ଼କୁ ଠେଲି ଦେଇଛି । ମାସ ମାସ ଧରି ଚାଲିଥିବା ବୟାନବାଜି ଏବଂ ବାଧାପ୍ରାପ୍ତ କୂଟନୈତିକ ଆଲୋଚନା ଏକ ଫୁଲ ସ୍କେଲ୍ ଓ୍ବାରର ରୂପ ଧାରଣ କରିଛି । ତେହେରାନକୁ ଉଭୟ ଆକାଶ ଏବଂ ଜଳମାର୍ଗରେ ଘେରିଛି ଆମେରିକା । ଇସ୍ରାଏଲ ବି ମିସାଇଲ ମାଡ଼ କରୁଛି । ସେପଟେ ଆମେରିକା ଏବଂ ଇସ୍ରାଏଲକୁ ଜବାବ ଦେବାକୁ ପ୍ରତିଆକ୍ରମଣ କରୁଛି ଇରାନ୍ । ଆଉ ଇରାନ୍କୁ ସାଥ୍ ଦେଉଛନ୍ତି ହିଜବୁଲ୍ଲା ଏବଂ ହୁତି ବିଦ୍ରୋହୀ ।
ଇରାନ୍ରେ ଆରମ୍ଭ ହୋଇଥିବା ଏହି ଆକ୍ରମଣକୁ ‘ବୃହତ୍ତ ଯୁଦ୍ଧ ଅଭିଯାନ’ର ଆଖ୍ୟା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଇରାନ୍ର ପରମାଣୁ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ କେବଳ ଇସ୍ରାଏଲ ପାଇଁ ବିପଦ ନୁହେଁ, ବରଂ ଆମେରିକା ସମେତ ଏହାର ସହଯୋଗୀଙ୍କ ପାଇଁ ଘାତକ ବୋଲି ଟ୍ରମ୍ପ କହିଛନ୍ତି । ପ୍ରକ୍ସି ଓ୍ବାରରେ ବ୍ୟଥିତ ଇସ୍ରାଏଲ ଏଥିରୁ ନିସ୍ତାର ପାଇଁ ଇରାନ୍ ଉପରେ ଆକ୍ରମଣ କରିଛି । ଉଭୟ ଆମେରିକା ଏବଂ ଇସ୍ରାଏଲ ଇରାନ ଠାରୁ ଥିବା ବିପଦକୁ ଲକ୍ଷ୍ୟ ଯୁଦ୍ଧ ଆରମ୍ଭ କରିଛନ୍ତି । ତେବେ ଇରାନ୍ ଉପରେ ଆକ୍ରମଣ କାହିଁକି ? କାହିଁକି ଇରାନ୍କୁ ଧ୍ବଂସ କରିବାରେ ଲାଗିଛନ୍ତି ଇସ୍ରାଏଲ ଏବଂ ଆମେରିକା ? ଏହା ପଛରେ ରହିଛି ୫ ବଡ଼ କାରଣ ।
କାରଣ ନମ୍ବର-୧
ପରମାଣୁ ଯୁଦ୍ଧାସ୍ତ୍ର ବିକାଶ ଉପରେ ରୋକ୍
ଆମେରିକାର ବାରମ୍ବାର ବାରଣ ସତ୍ବେ ଆଣବିକ ଯୁଦ୍ଧାସ୍ତ୍ର ବିକଶିତ କରୁଛି ଇରାନ୍ । ନୂଆ ନୂଆ କ୍ଷେପଣାସ୍ତ୍ର ତିଆରି କରି ଉଭୟ ଇସ୍ରାଏଲ ଏବଂ ଆମେରିକାକୁ ଦେଖାଉଛି ଭୟ । ପରମାଣୁ ଯୁଦ୍ଧାସ୍ତ୍ର ନିର୍ମାଣ ଲାଗି ପର୍ଯ୍ୟାପ୍ତ ୟୁରାନିୟମ ରଖିଛି ଇରାନ୍ । ପରମାଣୁ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବାକୁ ବହୁବାର ଚେଷ୍ଟା କରିଛି ଆମେରିକା । ଅନେକ ଥର ଇରାନ୍ ସହ ହୋଇଛି ଆଲୋଚନା, କିନ୍ତୁ ବାହାରି ପାରିନି ନିଷ୍କର୍ସ ।
କାରଣ ନମ୍ବର-୨
ଦୂର ହେବ ସମ୍ଭାବ୍ୟ ବଡ଼ ବିପଦ
ଇରାନ୍ ଉପରେ ଆକ୍ରମଣ ଜରୁରି ଥିଲା ବୋଲି କହିଛନ୍ତି ଟ୍ରମ୍ପ । ବାରଣ ପରେ ବି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ନିର୍ମାଣ କରୁଛି ଇରାନ୍ । ଏହା ଉଭୟ ଇସ୍ରାଏଲ ଏବଂ ଆମେରିକା ପ୍ରତି ସୃଷ୍ଟି କରିଛି ବିପଦ । ଇରାନ୍ର ଏଭଳି ଆକ୍ରମଣାତ୍ମକ ମନୋଭାବକୁ ଆମେରିକା ନିଜ ପ୍ରତି ବିପଦ ବୋଲି ଭାବିଆସିଛି । ଆଉ ଏହି ବିପଦକୁ ସମୂଳେ ନଷ୍ଟ କରିବାକୁ ଆଟାକ କରିଛି ଆମେରିକା ।
କାରଣ ନମ୍ବର-୩
ପ୍ରକ୍ସି ଓ୍ବାରକୁ ଜବାବ
ସିଧାସଳଖ ଯୁଦ୍ଧରେ ସାମିଲ ନହୋଇ ପ୍ରକ୍ସି ଓ୍ବାରରେ ଲିପ୍ତ ଇରାନ୍ । ହିଜବୁଲ୍ଲା ଏବଂ ହୁତି ବିଦ୍ରୋହୀଙ୍କୁ ଢ଼ାଲ କରି ବାରମ୍ବାର ଇସ୍ରାଏଲ ଏବଂ ଆମେରିକା ସହଯୋଗୀଙ୍କୁ ଟାର୍ଗେଟ କରିଆସିଛି ତେହେରାନ୍ । ଏହି ଚିନ୍ତା ଉଭୟ ଦେଶକୁ ଦୀର୍ଘ ବର୍ଷ ଧରି ଲାଗିରହିଛି। ଏହାର ପରିଣାମ ସୁରୂପ ଆରମ୍ଭ ହୋଇଛି ଏହି ଯୁଦ୍ଧ ।
କାରଣ ନମ୍ବର-୪
ପୂର୍ବ ପ୍ରତିରୋଧୀ ସାମରିକ ରଣନୀତି
ଅନିୟନ୍ତ୍ରିତ କ୍ଷମତାର ଅଧିକାରୀ ହେବାକୁ ଯାଉଛି ଇରାନ୍ । ଏଥିରେ ବ୍ରେକ୍ ଦେବାକୁ ଇରାନ୍ ଉପରେ ଆକ୍ରମଣ କରିଛି ଇସ୍ରାଏଲ । ଭୟଙ୍କର ଯୁଦ୍ଧାସ୍ତ୍ର ବିକଶିତ କରି ମୁଣ୍ଡବିନ୍ଧାର କାରଣ ପାଲଟିବା ପୂର୍ବରୁ ତେହେରାନକୁ ଚେକ୍ ଦେବାକୁ ମିଳିତ ଆକ୍ରମଣ କରିଛନ୍ତି ଇସ୍ରାଏଲ ଏବଂ ଆମେରିକା ।
କାରଣ ନମ୍ବର-୫
ଶାସନ ପରିବର୍ତ୍ତନ ଲାଗି ଚାପ
ଇରାନ୍ ଆଭ୍ୟନ୍ତରୀଣ ପ୍ରତିବାଦ ସହ ଯୁଝୁଛି। ଖାମେନି ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ତୀବ୍ର ହୋଇଛି। ଆଉ ଏହାକୁ ସମର୍ଥନ ଦେଇଆସିଛି ଆମେରିକା । ଏପରିକି ବିଦ୍ରୋହୀଙ୍କୁ ଦମନ କଲେ ଆମେରିକା ଆକ୍ରମଣ କରିବ ବୋଲି ଧମକ ଦେଇଥିଲେ ଟ୍ରମ୍ପ । ଆଉ ଏବେ ଡାଇରେକ୍ଟ ଆଟାକ୍ କରି ଇରାନ୍ରେ ଶାସନ ପରିବର୍ତ୍ତନ କରିବାକୁ ଉଭୟ ଇସ୍ରାଏଲ ଏବଂ ଆମେରିକା ଆଶାବାଦୀ ।




