କାର୍ତ୍ତିକ ପରେ ନାଟମଣ୍ଡପରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା

କାର୍ତ୍ତିକ-ପରେ-ନାଟମଣ୍ଡପରେ-ପରୀକ୍ଷାମୂଳକ-ଭାବେ-ଆରମ୍ଭ-ହେବ-ଧାଡ଼ି-ଦର୍ଶନ-ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ବୈଠକକୁ ଅଧ୍ୟକ୍ଷତା କରିଥିଲେ। ବୈଠକ ସରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ଦେଇ କହିଛନ୍ତି କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି।  ଭୋର ୪ଟା ରୁ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ। ଭକ୍ତ ଓ ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଛି।

ମୁଖ୍ୟ ପ୍ରଶାସକ କହିଛନ୍ତି, କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ନାଟମଣ୍ଡପରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା। ଏନେଇ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ଖୁବଶୀଘ୍ର ଏକ ଏସଓପି ଅଣାଯିବ। ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମଧ୍ୟ ଏକ ଏସଓପି ପ୍ରସ୍ତୁତ କରାଯିବ। ଶ୍ରୀମନ୍ଦିର ଭିତରେ ଶ୍ରୀମନ୍ଦିର କର୍ମଚାରୀ ଏବଂ ପୋଲିସ କର୍ମଚାରୀ ଙ୍କ ପାଇଁ ସ୍ମାର୍ଟ ଫୋନ୍ ବ୍ୟବହାର ଉପରେ କଡ଼ା କଟକଣା ଲଗାଯିବା ନେଇ ନିଷ୍ପତ୍ତି ହୋଇଛି।

ଖୁଲମଖୁଲା ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନରେ କଥା ହୋଇପାରିବେ ନାହିଁ ଏହି କର୍ମଚାରୀ। ଏକ ନିର୍ଦିଷ୍ଟ ସ୍ଥାନରେ ଯାଇ ସେମାନେ ସ୍ମାର୍ଟ ଫୋନ୍ ରେ କଥା ହୋଇପାରିବେ। ଆଗାମୀ ଦିନରେ ସେବାୟତଙ୍କ ଉପରେ ମଧ୍ୟ ଏହି ନିୟମ ଲାଗୁ କରାଯିବ। ଶ୍ରୀମନ୍ଦିର ଠାକୁରଙ୍କ ଶୃଙ୍ଖଳିତ ନୀତି କାନ୍ତି ନେଇ ପ୍ରତ୍ୟେକ ବୁଧବାର ଏକ ବୈଠକ ଅନୁଷ୍ଠିତ ହେବ। ଏନେଇ ଏକ କମିଟି ଗଠନ କରାଯାଇଛି। ସେହିପରି ଏମାର ମଠରୁ ଉଦ୍ଧାର ହୋଇଥିବା ରୂପା ଇଟା ଶ୍ରୀମନ୍ଦିର ପ୍ରଶାସନକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ।

ଏହି ମାମଲା କୋର୍ଟରେ ଥିବାରୁ ସରକାରଙ୍କୁ ଏନେଇ ଅବଗତ କରାଯିବ। ମହାପ୍ରଭୁଙ୍କ ନୀତି କାନ୍ତି ସହିତ ଜଡ଼ିତ ଥିବା ଚାରି ଆଶ୍ରମର ଉନ୍ନତିକରଣ ଏବଂ ସେବାୟତଙ୍କ କଲ୍ୟାଣ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଛତିଶା ନିଯୋଗ ସେବାୟତ ପ୍ରତିନିଧି, ପରିଚାଳନା କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ।

Scroll to Top