ଭାନକୁଭର ୨୫।୧: କାନାଡାରେ ଆଉ ଜଣେ ଭାରତୀୟ ମୂଳ ଯୁବକଙ୍କ ହତ୍ୟାଘଟଣା ସାମ୍ନାକୁ ଆସିଛି। ଭାନକୁଭର ବାସିନ୍ଦା ଦିଲରାଜ ସିଂହ ଗିଲଙ୍କୁ ବିଚ୍ ସଡକରେ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣା କାନାଡାରେ ରହୁଥିବା ଭାରତୀୟ ସମୂଦାୟଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ଏହି ହତ୍ୟାକାଣ୍ଡକୁ ପୋଲିସ ଟାର୍ଗେଟେଡ ଗ୍ୟାଙ୍ଗୱାର ବୋଲି କହୁଛି। ପ୍ରାରମ୍ଭିକ ତଦନ୍ତରୁ ମୃତକକୁ ପୋଲିସ ପୂର୍ବରୁ ଜାଣିଥିଲା ଓ ଏହି ହତ୍ୟାକାଣ୍ଡ ପଛରେ ଅପରାଧିକ ଗ୍ୟାଙ୍ଗ ବିବାଦର ଆଶଙ୍କା କରାଯାଉଛି।
ଏହି ହତ୍ୟାକାଣ୍ଡ ୨୨ ଜାନୁୟାରୀ ଗୁରୁବାର ହୋଇଥିଲା। ୨୪ ଜାନୁୟାରୀ ଶନିବାର ପୋଲିସ ମୃତକଙ୍କୁ ଦିଲରାଜ ସିଂହ ଗିଲ ବୋଲି ଚିହ୍ନଟ କରିଛି। ପୋଲିସ ଅନୁସାରେ ଦିଲରାଜ ଭାନକୁଭରରେ ରହୁଥିଲା ଓ ସେ ଜଣେ ଭାରତୀୟ ନାଗରିକ ଥିଲା। ବର୍ଣ୍ଣାବୀ ଆରସିଏମପି ଫ୍ରଣ୍ଟ ଲାଇନ ଅଧିକାରୀଙ୍କ ଅନୁସାରେ ବ୍ଲକ ୩୭୦୦ ନିକଟରେ ଗୁଳିକାଣ୍ଡ ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ଜଣେ ଯୁବକକୁ ଆହତ ଅବସ୍ଥାରେ ଦେଖା ଯାଇଥିଲା ଏଣୁ ପୋଲିସ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲା। ତେବେ ତାଙ୍କର ମୃତ୍ୟୁ ହୋଇଛି।
ଏହି ହତ୍ୟାକାଣ୍ଡର ଯାଞ୍ଚ ଏବେ ଇଣ୍ଟିଗ୍ରେଟେଡ ହୋମିସାଇଡ ଇନଭେଷ୍ଟିଗେସନ ଟିମ୍ ଦ୍ୱାରା କରାଯାଉଛି। ଟିମ୍ ନିଜ ବୟାନରେ କହିଛି ଯେ ଗିଲ ପୋଲିସର ଜାଣତରେ ଥିଲା ଓ ଲାଗୁଛି ଏହି ଗୁଳିକାଣ୍ଡ ଗ୍ୟାଙ୍ଗ ବିବାଦରୁ ହୋଇଥାଇପାରେ। ତେବେ ପୋଲିସ ଏବେ ହତ୍ୟାକାଣ୍ଡକୁ ସବୁ ଆଙ୍ଗଲରୁ ଯାଞ୍ଚ କରୁଛି ଓ ଗ୍ୟାଙ୍ଗ କନେକ୍ସନକୁ ନେଇ ପ୍ରମାଣ ସଂଗ୍ରହ କରାଯାଉଛି। ତେବେ କାନାଡାରେ ଏହା ଭାରତୀୟଙ୍କ ପ୍ରଥମ ହତ୍ୟାକାଣ୍ଡ ନୁହେଁ। ଏହା ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଛି।




