ନୂଆପଡ଼ା ୧୦।୧୦: ନୂଆପଡ଼ାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ବ୍ୟକ୍ତିଗତ ସଚିବ ରାମଲାଲ ହଂସଙ୍କ କଂଗ୍ରେସରେ ଯୋଗଦାନ ପ୍ରସଙ୍ଗରେ ଆସିଲା ନୂଆ ଟ୍ଵିଷ୍ଟ । ଗୁରୁବାର ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ରାମଲାଲ କଂଗ୍ରେସରେ ଯୋଗଦାନ କରିଥିଲେ । ଏହି ଘଟଣାରେ ଶୁକ୍ରବାର ନୂଆ ମୋଡ଼ ଆସିଛି । ରାମଲାଲ ହଂସକୁ ଚାପ ପକାଇ ଅପହରଣ କରିଥିବା ଅଭିଯୋଗ ହୋଇଛି । ବିଜେଡିର ନେତାମାନେ ଅପହରଣ କରିଥିବା କଂଗ୍ରେସ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ଅଭିଯୋଗ ଆଣିଛନ୍ତି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଘାସିରାମ ମାଝୀ ।
ବର୍ତ୍ତମାନ ରାମଲାଲ ହଂସ କେଉଁଠି ଅଛନ୍ତି କିଛି ସୂଚନା ନାହିଁ ବୋଲି ସେ କହିଛନ୍ତି । ରାମଲାଲ ଦୀର୍ଘ ବର୍ଷ ଧରି ନୂଆପଡ଼ା ବିଧାୟକ ଦିବଂଗତ ରାଜେନ୍ଦ୍ର ଢ଼ୋଲକିଆଙ୍କର ବ୍ୟକ୍ତିଗତ ସଚିବ ଥିଲେ । ଉତ୍କଳ ଯାଦବ ମହାସଭାର ଉପଦେଷ୍ଟା ସହ ସର୍ବ ଭାରତୀୟ ଯାଦବ ମହାସଭାର ସଭ୍ୟ ମଧ୍ୟ ଅଛନ୍ତି ରାମଲାଲ ହଂସ ।
ସୂଚନାଯୋଗ୍ୟ ଯେ, ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ଜୋର୍ ଧରିଛି ନୂଆପଡ଼ା ରାଜନୀତି । କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରି ପ୍ରଚାର ଆରମ୍ଭ କରିବା ସହ କଂଗ୍ରେସ ଛାଡିଥିବା ନେତାଙ୍କ ସହ ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳଙ୍କୁ ମିଶାଇ ବଳ ବଢ଼ାଇବାରେ ଲାଗିଛି । ପଦଯାତ୍ରା କରି ଦଳ ସହ ଲୋକଙ୍କୁ ଯୋଡିବା ପ୍ରୟାସ ଆରମ୍ଭ କରିଛି ବିଜେଡି । ନୂଆପଡ଼ା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ତା’ର ପ୍ରାର୍ଥୀ ଘୋଷଣା ସହ ପ୍ରଚାରକୁ ଓହ୍ଲାଇ ସାରିଲାଣି । ଏବେ ନଜର ବିଜେପି ଓ ବିଜେଡି କାହାକୁ କରୁଛନ୍ତି ପ୍ରାର୍ଥୀ । ଏହାକୁ ନେଇ ରାଜନୈତିକ ମହଲରେ ଢ଼େର ଚର୍ଚ୍ଚା ମଧ୍ୟ ହେଉଛି । ଏସବୁ ଭିତରେ ନୂଆପଡ଼ା ମଇଦାନକୁ ନୂଆ ଫେସ୍ ଛାଡିବାକୁ ବିଜେପି ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି । ନୂଆପଡ଼ା ବିଜେପିର ପୁରଖା ଚେହେରା ବସନ୍ତ ପଣ୍ଡା ଏବଂ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କ ବଦଳରେ ଏଥର ଖରିଆର ରୋଡ୍ ଏନଏସି ଅଧ୍ୟକ୍ଷା ସୋନିଆ ଜୈନଙ୍କୁ ବିଜେପି ନୂଆପଡ଼ା ଚେହେରା କରିବ ବୋଲି ଜୋର୍ ଧରିଛି ଚର୍ଚ୍ଚା । ଏଥିସହ ଜଣାଶୁଣା ସଙ୍ଗଠକ ତଥା ଆରଏସଏସ ନେତା ଯଦୁମଣି ପାଣିଗ୍ରାହୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ଏନେଇ ବିଜେପିର କୋର୍ କମିଟି ବୈଠକରେ ପ୍ରାର୍ଥୀଙ୍କ ନାଁ ଫାଇନାଲ୍ ହେବ ବୋଲି ଜଣାପଡ଼ିଛି ।
ନୂଆପଡ଼ା ପାଇଁ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିନି କିନ୍ତୁ ଗଡ଼ରକ୍ଷା କରିବାକୁ ଏବେଠୁ ପ୍ରଚାର ଆରମ୍ଭ କରିଦେଇଛି ଦଳ । ନୂଆପଡାରେ ପଦଯାତ୍ରା ଆରମ୍ଭ କରିଛି ବିଜେଡି । ନୂଆପଡାରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ସ୍ଥିର କରିଥିବା ବେଳେ ସୁପ୍ରିମୋଙ୍କ ଘୋଷଣା ବାକି ଅଛି । ଏପଟେ ଦଳ ନୂଆପଡା ଯୁଦ୍ଧ ପରିଚଳନା ପାଇଁ ୩ଟି ଗୁରୁତ୍ବପୂର୍ଣ୍ଣ କମିଟି ଗଠନ କରିବା ସହ ପଶ୍ଚିମ ଓଡ଼ିଶା ନେତାଙ୍କୁ ଗୁରୁଦାୟିତ୍ବ ଦେଇଛି ବିଜେଡି ।
ନୂଆପଡ଼ା ନିର୍ବାଚନ ରଣାଙ୍ଗନରେ ପ୍ରାର୍ଥୀ ଘୋଷଣାରେ କଂଗ୍ରେସ ଆଗୁଆ ଥିବାବେଳେ ଏବେ ଦଳ ଛାଡ଼ିଥିବା ପୁରୁଖା ନେତାଙ୍କୁ ଦଳରେ ମିଶାଇବା ସହ ଛୋଟ ଛୋଟ ଦଳକୁ ମିଶାଇ ବଳ ବଢ଼ାଉଛି । ପୂର୍ବରୁ କଂଗ୍ରେସ ଛାଡିଥିବା ଲଢୁଆ ଯୁବ ନେତା ରବି ମଙ୍ଗରାଜ ଆଜି ବିଧିବଦ୍ଧ ଭାବେ ନିଜ ସମର୍ଥକଙ୍କ ସହ କଂଗ୍ରେସରେ ମିଶିଛନ୍ତି । ଅଢେଇ ହଜାରରୁ ଅଧିକ ସମର୍ଥକଙ୍କୁ ସାଙ୍ଗରେ ଧରି ରାଲିରେ କଂଗ୍ରେସରେ ଯୋଗ ଦେଇଛନ୍ତି । ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପିସିସି ସଭାପତି ଭକ୍ତ ଦାସ । ଗାଁକୁ ଗାଁ ପଦଯାତ୍ରା କରି ଲୋକଙ୍କ ସମର୍ଥନ ଲୋଡ଼ୁଛି କଂଗ୍ରେସ ।
ସେପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟର ତାଲିକା ପ୍ରକାଶ ପାଇଛି । ସମୁଦାୟ ଭୋଟର ସଂଖ୍ୟା ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ୧ ଲକ୍ଷ ୨୪ ହଜାର ୧୦୮ ଓ ମହିଳା ଭୋଟର ୧ ଲକ୍ଷ ୨୯ ହଜାର ୪୯୫ ଅଛନ୍ତି । ନୂଆପଡ଼ା ଉପନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ସର୍ବଦଳୀୟ ବୈଠକ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।




