ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ବର୍ବରକାଣ୍ଡ, ପଶ୍ଚିମବଙ୍ଗ ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନର ସ୍ବତନ୍ତ୍ର ଟିମ୍
Published By: Ruby – Prameya-News7 Bureau | October 12, 2025 12:08 PM
NEWS7
ଭୁବନେଶ୍ବର ୧୨।୧୦: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ କିଛି ଶୁଣୁନି ପଶ୍ଚିମବଙ୍ଗ ମହିଳା କମିଶନ । ଇମେଲ୍ କରି ଅଭିଯୋଗ ଜଣାଇଲା ରାଜ୍ୟ ମହିଳା କମିଶନ । ଦୁର୍ଗାପୁର ଘଟଣାରେ ରାଜ୍ୟ ମହିଳା କମିଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି କହିଛନ୍ତି, ପଶ୍ଚିମବଙ୍ଗରେ ଓଡ଼ିଆ ଝିଅଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଁ ପଶ୍ଚିମବଙ୍ଗ ମହିଳା କମିଶନଙ୍କ ସହ କଥା ହେବାକୁ ଚେଷ୍ଟା କରିଛି । ହେଲେ ସେ ବ୍ୟସ୍ତ ଥିବା କହି କଥା ହୋଇନାହାନ୍ତି । ରବିବାର ରାଜ୍ୟ ପୋଲିସ ଡିଜିଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କହିଛି । ପଶ୍ଚିମବଙ୍ଗ ମହିଳା କମିଶନଙ୍କୁ ଇମେଲ୍ କରାଯାଇଛି । ପୀଡିତାଙ୍କ ବାପାଙ୍କ ସହ କଥା ହୋଇଛି । ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଗଣଦୁଷ୍କର୍ମ କଲେ, ଏହା ବର୍ବର ଘଟଣା । ଏଭଳି ଘଟଣା ଦୁଃଖଦାୟକ । ରବିବାର ବାଲେଶ୍ୱର ଏଡ଼ିଏମ୍ଙ୍କ ନେତୃତ୍ୱରେ ଏକ ଟିମ୍ ପଠାଯାଇଛି । ଘଟଣାର ୩୬ ଘଣ୍ଟା ପରେ ମାତ୍ର ୩ ଜଣ ଗିରଫ ହୋଇଛନ୍ତି । ଆଉ ୨ ଜଣ ଏବେବି ଫେରାର ଅଛନ୍ତି । ପଶ୍ଚିମବଙ୍ଗ ସରକାରର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା । ରାଜ୍ୟ ମହିଳା କମିଶନର ଏକ ସ୍ୱତନ୍ତ୍ର ଟିମ୍ ଦୁର୍ଗାପୁର ଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।




