ଉମରକୋଟ ୨୫।୦୯ : ନିଜ ମାର ଶବକୁ ସମ୍ମାନ ଦେଇପାରିଲା ନାହିଁ ପୁଅ । ମାତ୍ର କେଇଟା ଟଙ୍କା ଖର୍ଚ୍ଚ ହୋଇଯିବା ଭାଭି ବାଇକ୍ରେ ବୋହିଲା ମାର ଶବ । ବର୍ଷାରେ ଭିଜି ଭିଜି ମାର ଶବକୁ ବାଇକ ନେଇଛି ପୁଅ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରୁ ଆସିଛି ଏପରି ଅଭାବନୀୟ ଦୃଶ୍ୟ ।
ଖବର ଅନୁଯାୟୀ, ରାଇଘର ବ୍ଲକର କୁନ୍ଦେଇ ପଞ୍ଚାୟତ ଅନ୍ତର୍ଗତ ସମ୍ବଲପୁର ଗାଁର ଭାନୁବାଇ ରାଉତ (70) ପୁଅ ଘର ଛାଡ଼ି ନିଜ ଝିଅ ଜୁଇ ଘର ତରଙ୍ଗପୁରୀରେ ପ୍ରାୟ ୫ ବର୍ଷ ହେଲା ରହୁଥିଲେ । ଗୁରୁବାର ସକାଳ ୭ଟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ଏହି ଖବର ପାଇବା ପରେ ପୁଅ ତରଙ୍ଗପୁରୀ ଗାଁକୁ ଯାଇ ମର ଶରୀରକୁ ଘରକୁ ଆଣିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଯେକୌଣସି ଗାଡ଼ିରେ ନେଲେ ଟଙ୍କା ଖର୍ଚ୍ଚ ହୋଇଯିବା କାଳେ, ସେଥିପାଇଁ ନିଜ ବାଇକ୍ ଯୋଗେ ଶବକୁ ନେଇଥିଲେ । ବର୍ଷାରେ ଭିଜି ଭିଜି ବାଇକ୍ରେ ନିଜ ମାଆର ଶବକୁ ନେଇ ଘରକୁ ଆସିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁ ମା ପୁଅକୁ ଜନ୍ମ କରି ଦୁନିଆ ଦେଖାଇବା ପାଇଁ କେତେ କଷ୍ଟ ଓ ଯନ୍ତ୍ରଣା ସହିଥିଲା । ସେହି ମାଆର ଶବକୁ ଘରକୁ ନେବା ପାଇଁ କିଛି ଟଙ୍କା ଖର୍ଚ୍ଚ ହୋଇଯିବା ଆଶଙ୍କାରେ ବାଇକ୍ରେ ବୁହାଇଲା। ଶବକୁ ଅସମ୍ମାନ କରିବା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।




