ଏବେ ସବୁ କଲରେ ଦେଖାଯିବ କଲରଙ୍କ ପୁରା ନାମ, CNAPକୁ TRAIଙ୍କ ସବୁଜ ସଂକେତ

ଏବେ-ସବୁ-କଲରେ-ଦେଖାଯିବ-କଲରଙ୍କ-ପୁରା-ନାମ,-cnapକୁ-traiଙ୍କ-ସବୁଜ-ସଂକେତ

ନୂଆଦିଲ୍ଲୀ ୨୯।୧୦: ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ)  କଲରଙ୍କ ନାମ ଦେଖାଉଥିବା କଲର ନେମ ପ୍ରେଜେଣ୍ଟେସନ (ସିଏନଏପି) ସେବାକୁ ମଞ୍ଜୁରୀ ଦେଇଛି। ଏବେ ସବୁ କଲରେ କେବଳ ନମ୍ବର ନୁହେଁ କଲ କରୁଥିବା ବ୍ୟକ୍ତିର ଅସଲ ନାମ ମଧ୍ୟ ମୋବାଇଲ ଫୋନ ସ୍କ୍ରିନରେ ଦେଖାଯିବ। ଏହି ସେବା ୟୁଜରଙ୍କ ନିମନ୍ତେ ଡିଫଲ୍ଟ ରୂପେ ଚାଲୁ କରା।ଯିବ। ତେବେ ୟୁଜର ଚାହିଁଲେ ଏହାକୁ ବନ୍ଦ ମଧ୍ୟ କରିପାରିବେ। ଏହାଦ୍ୱାରା ଫ୍ରଡ ଓ ସ୍ପାମ କଲରେ ଲଗାମ ଲାଗିବ।

ସିଏନଏପି ଅର୍ଥାତ କଲିଂ ନେମ ପ୍ରେଜେଣ୍ଟେସନ ଟେକନିକ୍ ରେ ଯେବେ କେହି ଆପଣଙ୍କୁ ଫୋନ କରିବେ ସେତେବେଳେ ଆପଣଙ୍କ ମୋବାଇଲରେ ସମ୍ପୃକ୍ତ ବ୍ୟକ୍ତିଙ୍କ ରେଜିଷ୍ଟର୍ଡ ନାମ ମଧ୍ୟ ନମ୍ବର ସହିତ ଦେଖାଯିବ। ଏହା ଦ୍ୱାରା ୟୁଜରଙ୍କୁ କଲରଙ୍କ ସଠିକ ପରିଚୟ ଦେବ ଓ ଅଯଥା କଲରୁ ରକ୍ଷା କରିବ। ଡିପାର୍ଟମେଣ୍ଟ ଅଫ ଟେଲିକମ (ଡିଓଟି)ଙ୍କ ପରାମର୍ଶରେ ଟ୍ରାଇ ଅକ୍ଟୋବର ୨୮ରେ ତାଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଜଣାଇଛନ୍ତି।

ଡିଓଟି ଓ ଟ୍ରାଇଙ୍କ ନିଷ୍ପତ୍ତି ଅନୁସାରେ ଏହି ସେବା ଏବେ ଡିଫଲ୍ଟ ରୂପେ ସବୁ ମୋବାଇଲ ୟୁଜରଙ୍କ ନିମନ୍ତେ ଚାଲୁ ରହିବ। ଯଦି କେହି ଏପରି କଲରଙ୍କ ପରିଚୟ ଚାହୁଁ ନଥାନ୍ତି ତେବେ ଅପ୍ଟ ଆଉଟ୍ ମଧ୍ୟ କରିପାରିବେ। ଅର୍ଥାତ ଦେଶର ସବୁ ମୋବାଇଲ ନେଟୱାର୍କରେ ସିଏନଏପି ବିନା କୌଣସି ଅତିରିକ୍ତ ପ୍ରକ୍ରିୟାରେ ନିଜକୁ ନିଜେ ସକ୍ରିୟ ହୋଇଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ୪-ଜି ଓ ୫-ଜି ନେଟୱାର୍କରେ ଲାଗୁ କରାଯିବ। ତେବେ ୨-ଜି ଓ ୩-ଜି ନେଟୱାର୍କରେ ବୈଷୟିକ ଅପଗ୍ରେଡେସନ ପରେ ଆରମ୍ଭ କରାଯିବ।

ଟ୍ରାଇଙ୍କ ଏହି ନିର୍ଦ୍ଦେଶ ପରେ ଏବେ ଟେଲିକମ କମ୍ପାନୀ ଓ ମୋବାଇଲ ନିର୍ମାତା ଉଭୟ ଏହି ସେବା ଅନୁରୂପ ବୈଷୟିକ ପରିବର୍ତ୍ତନ କରିବେ। ସରକାର ଖୁବ୍ ଶୀଘ୍ର ଏହି କାର୍ଯ୍ୟକ୍ରମର ଚୂଡ଼ାନ୍ତ ରୂପରେଖ ଜାରି କରିବେ। ତେବେ କିଛି ବିଶେଷଜ୍ଞ ଏ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି ଯେ ମୋବାଇଲରେ କଲରଙ୍କ ନାମ ଦେଖା ଯିବା ଦ୍ୱାରା ପ୍ରାଇଭେସୀ ଉପରେ ପ୍ରଭାବ ପଡିପାରେ। ତେବେ ଟ୍ରାଇ କହିଛନ୍ତି ଏହି ସୂଚନା କୌଣସି ଥାର୍ଡ଼ ପାର୍ଟି ଆପ୍ ରୁ ନୁହେଁ କେବଳ କଲରଙ୍କ ନେଟୱାର୍କ ଡାଟାବେଶ୍ ରୁ ନିଆଯିବ।

ଟ୍ରାଇଙ୍କ ଏହି ପଦକ୍ଷେପକୁ ଭାରତରେ ମୋବାଇଲ ସୁରକ୍ଷା ଓ ପାରଦର୍ଶିତା ଦିଗରେ ଏକ ବୈପ୍ଳବିକ ପରିବର୍ତ୍ତନ ମନେ କରାଯାଉଛି। ଆଗାମୀ ମାସ ମାନଙ୍କରେ ଯେତେବେଳେ ଏହି ସେବା ସମ୍ପୂର୍ଣ୍ଣ ଲାଗୁ ହୋଇଯିବ ସେତେବେଳେ ସବୁ ମୋବାଇଲରେ ଏହା ୟୁଜରଙ୍କ ଲାଗି ଟ୍ରୁ କଲର ଭାବେ କାର୍ଯ୍ୟ କରିବ। ଏଥିରୁ ଲୋକଙ୍କୁ ସରକାରୀ ସୁରକ୍ଷାର ଅନୁଭ ମଧ୍ୟ ମିଳିବ।   

Scroll to Top