ୱ୍ବାଶିଂଟନ୍: ମଧ୍ୟପ୍ରାଚ୍ୟରେ ଘମାଘୋଟ ଲଢେଇ । ବୋମା,ରକେଟ, ମିସାଇଲ୍ ମାଡରେ ଥରୁଛି ଇରାନ୍ରୁ ଇସ୍ରାଏଲ୍ ଏବଂ ଉପସାଗରୀୟ ଅଞ୍ଚଳର ଏକାଧିକ ଦେଶ । ସୁପ୍ରିମ୍ ଲିଡରଙ୍କୁ ହରାଇବା ପରେ ପ୍ରତିଶୋଧ ନିଆଁରେ ଜଳୁଛି ତେହେରାନ । ସେପଟେ ଇରାନରୁ ଖାମେନୀ ରାଜ୍ର ମୂଳପୋଚ୍ଛ ଲକ୍ଷ୍ୟରେ ଥିବା ଆମେରିକା ଏବଂ ଇସ୍ରାଏଲ୍ ମାସେ ପର୍ଯ୍ୟନ୍ତ ଯୁଦ୍ଧ କରିବା ଯୋଜନାରେ । ଅପରେସନ ଏପିକ୍ ଫ୍ୟୁରିରେ ଇରାନ୍ର ଅନେକ ଅଞ୍ଚଳରେ ଜୋରଦାର ହମଲା କରିଛନ୍ତି ଆମେରିକା ଏବଂ ଇସ୍ରାଏଲ୍। ସ୍କୁଲ୍ରୁ ଆରମ୍ଭ କରି ସାମରିକ ପ୍ରତିଷ୍ଠାନ ସବୁଠି ସଂହାର ଓ ଧ୍ବଂସର ଚିତ୍ର । ଏହା ଭିତରେ ବି ଆସିଛି ଆମେରିକାର ବନ୍ଧୁ ରାଷ୍ଟ୍ରରେ ଇରାନ୍ର ବଡ ଆକ୍ରମଣ ।ଆମେରିକାର ବି କ୍ଷତି ଘଟିଛି । ଇରାନ୍ର ଆଇଆରଜିସି କମାଣ୍ଡୋ ଆମେରିକାର ଏଫ୍ ୧୫ ବିମାନ ଖସେଇ ଦେଇଥିବା ଦାବି କରିଛି । ତାସହ ପାରସ୍ୟ ଉପସାଗରରେ ଥିବା ଆମେରିକୀୟ ରଣତରୀ ଉପରେ ଇରାନ୍ ୪ ଟି ବାଲିଷ୍ଟିକ କ୍ଷେପଣାସ୍ତ୍ରରେ କରିଛି ଆକ୍ରମଣ ।
ଯୁଦ୍ଧରେ ଆମେରିକାର ବି ବଡ କ୍ଷତିର ଖବର । ଇରାନ୍ ଆକ୍ରମଣରେ ଆମେରିକୀୟଙ୍କ ମୃତ୍ୟୁ ସଂଖ୍ୟା ୪ ରେ ପହଞ୍ଚିଛି । ସବୁ ନିହତମାନେ ହେଉଛନ୍ତି ଆମେରିକୀୟ ସୈନ୍ୟ । ଆମେରିକାର ଯୁଦ୍ଦ ଜାହାଜ ଉପରେ କରିଛି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ । ଏହା ସହ ଇରାନ୍ର ଆକ୍ରମଣରେ ଆମେରିକାର ଆହୁରି ଅଧିକ କ୍ଷୟ କ୍ଷତିର ଆଶଙ୍କା ଥିବା କହିଛନ୍ତି ଆମେରିକାର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ ଚେୟାରମ୍ୟାନ ଏୟାର ଫୋର୍ସ ଜେନେରାଲ ଡ୍ୟାନ୍ କେଇନ୍ । ଇରାନ୍ ତାର ସର୍ବୋଚ୍ଚ ନେତାଙ୍କ ସହ ବହୁ ବରିଷ୍ଠ ଅଫିସିଆଲ୍ ଏବଂ ପରାବାର ସଦସ୍ୟଙ୍କୁ ହରାଇଛି । ତେଣୁ ପ୍ରତିକ୍ରିୟା ସ୍ବାଭାବିକ , ଏହି ପରିପ୍ରେକ୍ଷିରେ ଆମେରିକାର କିଛି ଅତିରିକ୍ତ କ୍ଷତିକୁ ଏଡାଯାଇ ନପାରେ । ତେବେ ଇରାନ୍ ବେଶି ଦିନ ମୁକାବିଲା କରିପାରିବ ନାହିଁ ବୋଲି ଦୃଢୋକ୍ତି କରିଚନ୍ତି ଆମେରିକାର ପ୍ରତିରକ୍ଷା ସଚ୍ଚିବ ପେଟେ ହେଗସେଠ୍ । ସେ କହିଛନ୍ତି, ଇରାନ ବିରୋଧରେ ଏହି ଅଭିଯାନ ଏକ ଶେଷହୀନ ଯୁଦ୍ଧ ହୋଇନପାରେ । କାରଣ , ଆମେରିକାର ଲକ୍ଷ୍ୟ ହେଲା ଇରାନ୍ର କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ଧ୍ୱଂସ କରିବା ସହ ନୌସେନା ତଥା ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିହ୍ନ କରିବା । ତେବେ ଏହାର ମୁକାବିଲା କରିବାକୁ ଲମ୍ବା ଯୁଦ୍ଦ ଲଢିବା ଭଳି ସ୍ଥିତିରେ ନାହିଁ ବୋଲି ମଧ୍ୟ କହିଛନ୍ତି ଆମେରିକାର ପ୍ରତିରକ୍ଷା ସଚ୍ଚିବ।
ସେପଟେ ଯୁଦ୍ଧ ଏବେ ଆଉ ଏକ ଟ୍ବିଷ୍ଟ ନେଇଛି । ଇରାନ୍କୁ ଧମକ ଦେଇଛି ସାଉଦି ଆରବ ।ପଡୋଶୀ ଦେଶରେ ଥିବା ଆମେରିକୀୟ ସାମରିକ ଘାଟୀକୁ ଇରାନ୍ ଟାର୍ଗେଟ କରୁଛି । ଏହି ଅଭିଯାନରେ ସାଉଦି ଆରବର ସବୁଠୁ ବଡ ତୈଳ ରିଫାଇନାରୀ ଆରମକୋ ଉପରେ ମିସାଇଲ ମାଡ କରିଥିଲା ଇରାନ୍ । ଏଥିରେ ଆରମକୋର ବିପୁଳ କ୍ଷତି ହୋଇଥିବାରୁ ଯୁବ୍ଧ ହୋଇଛି ସାଉଦି ଆରବ । ଏଥିନେଇ ଇରାନ୍କୁ ଚେତାବନୀ ମଧ୍ଯ ଦେଇଛି । ଯଦି ଇରାନ ଏଭିଳି ଆକ୍ରମଣରୁ ନିବୃତ୍ତ ନହେବ ତେବେ ଇରାନ୍ର ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରାଯିବ । ସାଉଦି ଆରବ ଏପରି କିଛି ଧମକ ଦେଇଥିବା କିଛି ଖବର ସରବରାହ ସଂସ୍ଥାଙ୍କ ରିପୋର୍ଟରୁ ପ୍ରକାଶ ।
ଉଲ୍ଲେଖଯୋଗ୍ୟ ଯେ , କୁଏତ୍ରେ ଘଟିଛି ସବୁଠୁ ବଡ ଅଭାବନୀୟ ଘଟଣା । ଇରାନ୍ ଉପରେ ଆକ୍ରମଣ ଅଭିଯାନରେ ସାମିଲ ଆମେରିକା ନୌସେନାର ୩ଟି ଏଫ୍-୧୫ ଇ ଷ୍ଟ୍ରାଇକ୍ ଇଗଲ ବିମାନକୁ କୁଏତ୍ ଧ୍ୱଂସ କରିଦେଇଛି ।ଏହି ଫାଇଟର ଜେଟ୍ ଗୁଡିକ ଇରାନ ବିରୋଧରେ ଆମେରିକା ଏବଂ ଇସ୍ରାଏଲ୍ର ସାମରିକ ଅଭିଯାନ ଏପିକ୍ ଫ୍ୟୁରୀରେ ସାମିଲ ଥିଲେ । ସେଗୁଡିକ ଇରାନ୍ର ବିଭିନ୍ନ ଠିକଣାରେ ବୋମା ମାଡ କରିଫେରୁଥିବା ବେଳେ କୁଏତ୍ର ଏୟାର ଡିଫେନ୍ସ ସିଷ୍ଟମ ସେଗୁଡିକୁ ଗୁଳି କରି ଖାସାଇ ଦେଇଛି । ଫାଇଟର ଜେଟ୍ ଗୁଡିକୁ ଶତ୍ରୁ ପକ୍ଷର ବିମାନ ମନେକରି ତାହାକୁ ଆକ୍ରମଣ କରିଥିଲା କୁଏତ । ଆମେରିକା ପକ୍ଷରୁ ଏହାକୁ ସ୍ବୀକାର ମଧ୍ୟ କରାଯାଇଛି । ତେବେ ଏହି ଫାଇଟର ଜେଟ୍ର ୬ ପାଇଲଟ୍ ଏବଂ କର୍ମଚାରୀ ଆକାଶଛତା ସହାଯ୍ୟରେ ଡେଇଁ ପଡିଥିବା ବେଳେ ଆମେରିକୀୟ ଉଦ୍ଧାରକାରୀ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା କହିଛନ୍ତି ।




