ୱାଶିଂଟନ ୧୭/୧୧: ଆମେରିକାରେ ଏଚ୍-୧ବି ଭିସାକୁ ନେଇ ଲାଗି ରହିଥିବା ବିବାଦ ଭିତରେ ବିଦେଶୀ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ବୟାନବାଜି ଆହୁରି ଜୋର୍ ଧରିଛି । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ବିଦେଶୀ କର୍ମଚାରୀଙ୍କୁ ଶସ୍ତା ଚାକର ବୋଲି ବର୍ଣ୍ଣନା କରିବା ସହ ସେମାନେ ଆଉ ଆମକୁ ଦରକାର ନାହିଁ ବୋଲି କହିଛନ୍ତି । ବିରୋଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଡେମୋକ୍ରାଟମାନେ କମ୍ ପାରିଶ୍ରମିକରେ ବିଦେଶୀ କର୍ମଚାରୀଙ୍କୁ ଆଣି ଆମେରିକାରେ ନିଯୁକ୍ତି ଦେବାକୁ ଚାହୁଁଛନ୍ତି ।
ଏହା ଡେମୋକ୍ରାଟ ମଡେଲ । ଏହି ମଡେଲ ଯୋଗୁ ଆମେରିକା ଲୋକଙ୍କ ପାଇଁ ନିଯୁକ୍ତି, ବେତନ ଓ ସମୃଦ୍ଧି ସବୁକିଛି କ୍ଷତି ଘଟିବ । ଗତ ଶନିବାର ଏକ ଟେଲିଭିଜନକୁ ସାକ୍ଷାତକାର ଦେଇ ଭାନ୍ସ କହିଛନ୍ତି ଯେ ଡେମୋକ୍ରାଟଙ୍କ ମଡେଲ ଠାରୁ ଟ୍ରମ୍ପଙ୍କ ମଡେଲ ହେଉଛି ଅଲଗା । ଟ୍ରମ୍ପଙ୍କ ମଡେଲରେ ଆମେରିକାରେ ବିକାଶର ରାସ୍ତା ଖୋଲିବ । ଆମେରିକୀୟଙ୍କ ପାଇଁ ରୋଜଗାର ମିଳିବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହାନ୍ତି ନିଜ ଦେଶର ଶ୍ରମିକଙ୍କୁ ବୈଷୟିକ ଜ୍ଞାନକୌଶଳରେ କୁଶଳୀ କରାଇବାକୁ ।
ବିଦେଶର ଶସ୍ତା ଶ୍ରମିକଙ୍କ ଉପରେ ଆମେ ଆଉ ନିର୍ଭର କରିବାକୁ ଚାହୁଁନା । ଟ୍ରମ୍ପଙ୍କ ଦଳ ରିପବ୍ଲିକାନ ପକ୍ଷରୁ ଏଚ୍-୧ବି ଭିସା ଉପରେ ସଂସଦରେ ଏକ ବିଲ୍ ଆଣିବାକୁ ଯୋଜନା କରାଯାଉଛି । ଏହାଫଳରେ ଆମେରିକାରେ ଭାରତୀୟଙ୍କ ପ୍ରବେଶ କଷ୍ଟକର ହେବ । ଟ୍ରମ୍ପଙ୍କ ଘନିଷ୍ଠ ତଥା ପ୍ରତିନିଧି ସଭାର ସଦସ୍ୟ ମାର୍ଜେରି ଟେଲର ଗ୍ରୀନ୍ କହିଛନ୍ତି ଯେ ଏଚ୍୧ବି ଭିସାର ଅପବ୍ୟବହାର କରାଯାଉଛି ।
ତେଣୁ ଏହାକୁ ରୋକିବା ଲାଗି ଖୁବଶୀଘ୍ର ସଂସଦରେ ବିଲ୍ ଆସିବ । ଟ୍ରମ୍ପଙ୍କ ଆମେରିକା ପ୍ରଥମ ନୀତି ଅନୁସାରେ ଏଚ୍-୧ବି ଭିସା ବ୍ୟବସ୍ଥାକୁ ଶେଷ କରିଦିଆଯିବ । ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ କେବଳ ୧୦ ହଜାର ଡାକ୍ତରଙ୍କୁ ଏଚ୍୧ବି ଭିସା ଦିଆଯିବ । ବର୍ତ୍ତମାନ ପ୍ରତିବର୍ଷ ୫୮ ହଜାର ଏଚ୍-୧ବି ଭିସା ଜାରି କରାଯାଉଛି ।




