ଚଣ୍ଡୀଗଡ ୨୬/୦୯: ଅଲ୍ବିଦା….ଶେଷ ଉଡ଼ାଣ । ଆକାଶରେ ଉଡିବନି ଭାରତୀୟ ସେନାର ପୁରୁଣା ସାଥୀ ମିଗ୍-୨୧ ଯୁଦ୍ଧବିମାନ । ଭାରତୀୟ ସେନାରୁ ଅବସର ନେଇଛି ମିଗ୍-୨୧। ୬ ଦଶକ ପରେ ଚଣ୍ଡିଗଡ ଏୟାରବେସରେ ଅବସର ନେଇଛି ଭାରତୀୟ ସେନାର ଏହି ଘାତକ ଯୁଦ୍ଧବିମାନ । ଭବ୍ୟ ବିଦାୟ ଲାଗି ଜୋରଦାର ଚଣ୍ଡିଗଡ ଏୟାରବେସ୍ରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା ।
କାରଣ ଦୀର୍ଘବର୍ଷ ଧରି ଭାରତୀୟ ସେନାର ପରାକ୍ରମର ପ୍ରତୀକ ଥିଲା ମିଗ୍-୨୧ । ମୂକସାକ୍ଷୀ ସାଜିଛନ୍ତି ବାୟୁସେନାର ୧ ହଜାର ପାଇଲଟ । ଏହି ଅବସରରେ ସ୍କ୍ୱାଡ୍ରନ୍ ଲିଡର ପ୍ରିୟା ଶର୍ମା (ବାୟୁସେନାର ସପ୍ତମ ମହିଳା ପାଇଲଟ୍) ମିଗ୍-୨୧କୁ ଶେଷଥର ପାଇଁ ଅନନ୍ତ ଆକାଶକୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ତାଙ୍କୁ ସାଥ୍ ଦେଇଥିଲେ ନିଜେ ଏୟାର ଚିଫ୍ ମାର୍ଶଲ ଏ ପି ସିଂହ । ୨୦୧୮ ଡିସେମ୍ବରରେ ରାଜସ୍ଥାନର ଝିଅ ପ୍ରିୟା ଶର୍ମା ବାୟୁସେନାରେ ସାମିଲ ହୋଇଥିଲେ ।
୩୫ ଫାଇଟର୍ ପାଇଲଟ୍ଙ୍କ ବ୍ୟାଚ୍ରେ ସେ ଏକାକୀ ମହିଳା ଥିଲେ । ମିଗ୍-୨୧ର ଏହି ଶେଷ ଉଡ଼ାଣ ସହ ପ୍ରିୟାଙ୍କ ନାମ ବି ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଯାଇଛି । ଗତ ମଙ୍ଗଳବାର ପ୍ରିୟା ଅନ୍ୟ ୫ ଜଣ ମିଗ୍-୨୧ ପାଇଲଟ୍ଙ୍କ ସହ ରିହର୍ସାଲରେ ସାମିଲ ହୋଇଥିଲେ । ଗତ ମାସ ସେ ବିକାନେର୍ ଏୟାରଫୋର୍ସ ଷ୍ଟେସନରେ ଏୟାର ଚିଫ୍ ମାର୍ଶଲ ଏ ପି ସିଂହଙ୍କ ସହ ମିଗ୍-୨୧ର ଶେଷ ଅପରେସନାଲ ମିଶନରେ ଉଡ଼ାଣ ଭରିଥିଲେ । ଏହି ଯୁଦ୍ଧ ବିମାନ ପାଇଁ ସେନା ସବୁବେଳେ ଶତ୍ରୁପକ୍ଷକୁ ମାତ୍ ଦେବାରରେ ସଫଳ ହୋଇଛି ।
୧୯୬୫ ଭାରତ-ପାକିସ୍ତାନରୁ ଯୁଦ୍ଧରୁ ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ସବୁଠି ପରାକ୍ରମ ଦେଖାଇଛି ଏହି ବିମାନ । ୧୯୬୩ରେ ଭାରତୀୟ ସେନାରେ ପ୍ରବେଶ କରିଥିଲା ମିଗ୍-୨୧ । ସବୁ ପ୍ରକାର ପରିସ୍ଥିତିରେ ସେନାର ସୁରକ୍ଷାକବଚ ସାଜିଛି ମିଗ୍-୨୧ । କାର୍ଗିଲ ଯୁଦ୍ଧ ସମୟରେ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିଥିଲା ଏହି ବିମାନ । ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ପାକିସ୍ତାନର ଏଫ-୧୬ ଲଢୁଆ ବିମାନକୁ ନଷ୍ଟ କରିଥିଲା ।




