ନୂଆଦିଲ୍ଲୀ : କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ-ଉନ୍ଙ୍କ ପାଖରେ ୨୦୦୦ କିଲୋଗ୍ରାମ୍ରୁ ଅଧିକ ‘ମୃତ୍ୟୁର ସାମଗ୍ରୀ’ ଜମା ରହିଛି। ଏହି ସୂଚନା ଦକ୍ଷିଣ କୋରିଆ ଦେଇଛି, ଯିଏକି ଉତ୍ତର କୋରିଆର ଜଣେ ବଡ଼ ଶତ୍ରୁ। ଦକ୍ଷିଣ କୋରିଆର ଏକକୀରଣ ମନ୍ତ୍ରୀ ଚୁଙ୍ଗ୍ ଡୋଙ୍ଗ-ୟଙ୍ଗ ଗୁରୁବାର କହିଛନ୍ତି ଯେ, ତାଙ୍କର ଆକଳନ ଅନୁସାରେ, ଉତ୍ତର କୋରିଆ ନିକଟରେ ପାଖାପାଖି ଦୁଇ ଟନ୍ ଅତ୍ୟଧିକ ଶୁଦ୍ଧ ୟୁରେନିୟ ଷ୍ଟକ୍ ଅଛି, ଯାହାର ଶୁଦ୍ଧତା ୯୦ ପ୍ରତିଶତ କିମ୍ୱା ଏହାଠାରୁ ଅଧିକ ଅଛି। ଚୁଙ୍ଗ୍ ଏହା ମଧ୍ୟ ଖୁଲାସା କରିଛନ୍ତି ଯେ, ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଆଧାରରେ – ପ୍ୟୋଙ୍ଗୟାଙ୍ଗ ଅନେକ ପ୍ରମୋସନାଲ ୟୁନିଟ୍ର ପରିଚାଳନା କରୁଛି।
ସେ ସାମ୍ୱାଦିକଙ୍କୁ କହିଛନ୍ତି ଯେ, ବର୍ତ୍ତମାନ ଉତ୍ତର କୋରିଆର ୟୁରେନିୟମ ସେଣ୍ଟ୍ରିଫ୍ୟୁଜନ ଚାରୋଟି ଅଲଗା ଅଲଗା ସ୍ଥାନରେ କାମ କରୁଛି। ସେ କେବଳ ୟୋଙ୍ଗବ୍ୟୋନ୍ ନାମକ ସାଇଟ୍ର ଉଲ୍ଲେଖ କରିଛନ୍ତି, ଯାହା ପ୍ରଥମେ ଚୁକ୍ତିନାମା ପରେ ବନ୍ଦ ହୋଇଥିଲା, କିନ୍ତୁ ୨୦୨୧ରେ ପୁଣି ଥରେ ଚାଲୁ ହୋଇଛି। ବିଦେଶୀ ବିଶେଷଜ୍ଞଙ୍କ ଅନୁସାରେ , କିମ୍ ଜୋଙ୍ଗ –ଉନ୍ଙ୍କ ନେତୃତ୍ୱରେ ପରମାଣୁ ଅସ୍ତ୍ରର ଭଣ୍ଡାର ବଢାଇବାର ପ୍ରୟାସର କାରଣ ପ୍ୟୋଙ୍ଗୟାଙ୍ଗ ଅତିରିକ୍ତ ସମ୍ୱର୍ଦ୍ଧନ କେନ୍ଦ୍ର ଗଠନ କରିଛି।
ଅଲ୍ ଜଜିରାର ଖବର ଅନୁସାରେ, ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଦୀର୍ଘ ସମୟରୁ କହି ଆସିଛି ଯେ, ଉତ୍ତର କୋରିଆ ନିକଟରେ ଉଚ୍ଚ ଶୁଦ୍ଧତା ଯୁକ୍ତ ୟୁରେନିୟମ ପର୍ଯ୍ୟାପ୍ତ ପରିମାଣରେ ଅଛି , ଯାହା ପରମାଣୁ ବୋମାର ମୁଖ୍ୟ ସାମଗ୍ରୀ। ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (ଆଇଏଇଏ) ଅନୁସାରେ , ଗୋଟିଏ ପରମାଣୁ ଅସ୍ତ୍ର ପାଇଁ ୪୨ କିଲୋଗ୍ରାମ୍ ଉଚ୍ଚ ଶୁଦ୍ଧ ୟୁରେନିୟମ ଦରକାର। ଏହି ହିସାବରେ ୨୦୦୦ କିଲୋଗ୍ରାମ୍ ୟୁରେନିୟମରୁ ପାଖାପାଖି ୪୭ ପରମାଣୁ ବୋମା ତିଆରି କରାଯାଇ ପାରେ।
ଚୁଙ୍ଗ୍ ପ୍ୟୋଙ୍ଗୟାଙ୍ଗର ପରମାଣୁ କାର୍ଯ୍ୟକ୍ରମକୁ ତୁରନ୍ତ ରୋକିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ ଉତ୍ତର କୋରିଆର ପରମାଣୁ ବିସ୍ତାର ଏକ ଏମର୍ଜେନ୍ସି ମାମଲା। ଏହା ବ୍ୟତୀତ , ସେ ତର୍କ ଦେଇଛନ୍ତି ଯେ , ପ୍ରତିବନ୍ଧକ କାମ କରୁ ନାହିଁ, ଏହାର ଏକମାତ୍ର ସମାଧାନ ପ୍ୟୋଙ୍ଗୟାଙ୍ଗ ଓ ୱାଶିଂଟନ ମଧ୍ୟରେ ଶିଖର ସମ୍ମିଳନୀ। ୨୦୧୯ରୁ କୂଟନୀତିକ ପ୍ରୟାସ ଠପ୍ ହୋଇ ଯାଇଛି। ଯେବେ କିମ୍ ଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଉଚ୍ଚ ସ୍ତରୀୟ କଥାବାର୍ତ୍ତା ବିନା କୌଣସି ଚୁକ୍ତିନାମା ଶେଷ ହୋଇ ଯାଇଥିଲା।




