ଇସ୍ରାଏଲ୍ ଏବଂ ଲେବାନନ୍ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମାକୁ ହିଜବୋଲାର ପ୍ରାତ୍ୟାଖ୍ୟାନ, କହିଲା- ଆତ୍ମସମର୍ପଣ କରିବୁନି  

ଇସ୍ରାଏଲ୍-ଏବଂ-ଲେବାନନ୍-ମଧ୍ୟରେ-ଯୁଦ୍ଧବିରତି-ଚୁକ୍ତିନାମାକୁ-ହିଜବୋଲାର-ପ୍ରାତ୍ୟାଖ୍ୟାନ,-କହିଲା-ଆତ୍ମସମର୍ପଣ-କରିବୁନି- 

ଇସ୍ରାଏଲ୍ ଏବଂ ଲେବାନନ୍ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମାକୁ ହିଜବୋଲାର ପ୍ରାତ୍ୟାଖ୍ୟାନ, କହିଲା- ଆତ୍ମସମର୍ପଣ କରିବୁନି  

ଲେବାନନର ସବୁଠାରୁ ଶକ୍ତିଶାଳୀ ସଶସ୍ତ୍ର ଗୋଷ୍ଠୀ ହିଜବୋଲା, ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିକୁ ପ୍ରତ୍ୟାଖ୍ୟାନ କରିଛି । ସଶସ୍ତ୍ର ଗୋଷ୍ଠୀର ନେତା ନଇମ କାସେମ କହିଛନ୍ତି, ଏହି ଆଲୋଚନା ଲେବାନନ ପାଇଁ “ଅପମାନଜନକ” ଥିଲା ।

Published By: Ajit – Prameya-News7 Bureau | June 04, 2026 11:30 PM

NEWS7

lebanon

ନୂଆଦିଲ୍ଲୀ: ଲେବାନନର ସବୁଠାରୁ ଶକ୍ତିଶାଳୀ ସଶସ୍ତ୍ର ଗୋଷ୍ଠୀ ହିଜବୋଲା, ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିକୁ ପ୍ରତ୍ୟାଖ୍ୟାନ କରିଛି । ସଶସ୍ତ୍ର ଗୋଷ୍ଠୀର ନେତା ନଇମ କାସେମ କହିଛନ୍ତି, ଏହି ଆଲୋଚନା ଲେବାନନ ପାଇଁ “ଅପମାନଜନକ” ଥିଲା । ଲେବାନନର ଜନସାଧାରଣ ଏହାକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି । ଇସ୍ରାଏଲ ଏବଂ ଲେବାନନ ସରକାର ନିଜ ମଧ୍ୟରେ ଏକ ଅସ୍ଥାୟୀ ଅସ୍ତ୍ରବିରତି ନବୀକରଣ ଘୋଷଣା କରିବା ପରେ ହିଜବୋଲାର ଏହି ପ୍ରତିକ୍ରିୟା ଆସିଛି । ଏହି ଚୁକ୍ତି ଅନୁସାରେ ଲେବାନନ ଭିତରେ ଏକ “ପାଇଲଟ୍” ସୁରକ୍ଷା କ୍ଷେତ୍ର ସୃଷ୍ଟି କରିବାର ଯୋଜନା ରହିଛି, ଯେଉଁଠାରେ ହିଜବୋଲା ଯବାନଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ବ୍ୟାନ କରାଯିବ । ବୁଧବାର ଆମେରିକାର ବୈଦେଶିକ ବିଭାଗ ଦ୍ୱାରା ଜାରି ଏକ ମିଳିତ ବିବୃତ୍ତିରେ କୁହାଯାଇଛି ଯେ, ଏହି ଚୁକ୍ତି ସମ୍ପୂର୍ଣ୍ଣ ଭାବେ ହିଜବୋଲା ଦ୍ୱାରା ଗୁଳି ବିନିମୟ ବନ୍ଦ କରିବା ଉପରେ ନିର୍ଭରଶୀଳ ।

ଗୁରୁବାର ହିଜବୋଲାର ନେତା କହିଛନ୍ତି, ଦକ୍ଷିଣ ମୋର୍ଚ୍ଚାରୁ ନିଜର ଯୋଦ୍ଧାମାନଙ୍କୁ ପ୍ରତ୍ୟାହାର କରିବା ଏବଂ ଗୁଳି ବନ୍ଦ କରିବା ନେଇ ଯେଉଁ ଚୁକ୍ତିନାମା କରାଯାଉଛି, ତାହା ପ୍ରକୃତରେ ଆତ୍ମସମର୍ପଣ ସହିତ ସମାନ । ଏହା କେବଳ ଇସ୍ରାଏଲର ଉଦ୍ଦେଶ୍ୟ ପୂରଣ କରିବ । ଉଲ୍ଲେଖଯୋଗ୍ୟ ଯେ, ହିଜବୋଲା ନିଜେ ଏହି ଆଲୋଚନାର କୌଣସି ଅଂଶ ନଥିଲା । ଅନ୍ୟପଟେ ବେରୁତର ଦକ୍ଷିଣ ଉପନଗର ତଥା ହିଜବୋଲାର ଗଡ଼ କୁହାଯାଉଥିବା ‘ଦାହିଏହ’ର ସାଧାରଣ ଜନତାଙ୍କ ମଧ୍ୟରେ ମଧ୍ୟ ଏହି ଚୁକ୍ତିକୁ ନେଇ ସନ୍ଦେହ ଏବଂ ଅସନ୍ତୋଷ ଦେଖିବାକୁ ମିଳିଛି ।

ୱାଶିଂଟନରେ ଆମେରିକାର ମଧ୍ୟସ୍ଥତାରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ପରେ ହୋଇଥିବା ଏହି ଚୁକ୍ତିନାମା ଅନୁସାରେ, ଇସ୍ରାଏଲ ସୀମାଠାରୁ ପ୍ରୟ ୩୦ କିଲୋମିଟର ଦୂର ଲିଟାନି ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳରୁ ହିଜବୋଲାକୁ ନିଜର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହଟାଇବାକୁ ପଡ଼ିବ।  ଏହି ଅଞ୍ଚଳ ବର୍ତ୍ତମାନ ଇସ୍ରାଏଲୀ ସ୍ଥଳସେନା ନିୟନ୍ତ୍ରଣରେ ଅଛି । ଆମେରିକା ଏହି “ପାଇଲଟ୍ ଜୋନ୍” ସୃଷ୍ଟି କରିବାରେ ସାହାଯ୍ୟ କରିବ । ଏଠାରେ କେବଳ ଲେବାନନର ସରକାରୀ ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ନିୟନ୍ତ୍ରଣ ରହିବ । ଏହାପୂର୍ବରୁ ସୋମବାର ଏକ ଆଂଶିକ ଅସ୍ତ୍ରବିରତି ହୋଇଥିଲା । ସର୍ତ୍ତ ଥିଲା ଯେ ହିଜବୋଲା ଇସ୍ରାଏଲ ଉପରେ ଆକ୍ରମଣ ନକରିବା ବଦଳରେ ଇସ୍ରାଏଲ ଲେବାନନର ରାଜଧାନୀ ବେରୁତରେ ବୋମାମାଡ଼ କରିବ ନାହିଁ । ଏକ ବ୍ୟାପକ ଏବଂ ସ୍ଥାୟୀ ଚୁକ୍ତିରେ ପହଞ୍ଚିବା ପାଇଁ ଆସନ୍ତା ଜୁନ୍ ୨୨ ତାରିଖରେ ଦୁଇ ଦେଶର ପ୍ରତିନିଧିମାନେ ପୁଣି ଥରେ ବୈଠକ କରିବେ । ସୂଚନାଯୋଗ୍ୟ ଯେ, ଲେବାନନର ସବୁଠାରୁ ଶକ୍ତିଶାଳୀ ଗୋଷ୍ଠୀ ଭାବେ ପରିଚିତ ହିଜବୋଲା ଇରାନର ସମର୍ଥନରେ ଏକ ଶକ୍ତିଶାଳୀ ସେନା ଗଠନ କରିଛି । ଏହା ଲେବାନନର ସରକାରୀ ସେନାଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଏବଂ ଇସ୍ରାଏଲ, ଆମେରିକା ତଥା ବ୍ରିଟେନ ସମେତ ଅନେକ ଦେଶ ଏହାକୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିଛନ୍ତି ।

Scroll to Top