ଇଭି ବାଇକ୍ ବ୍ୟାଟେରୀ ଚାର୍ଜରୁ ଅଗ୍ନିକାଣ୍ଡ, ନିଆଁରେ ଜଳିଗଲା ତିନି ମହଲା ଘର
Published By: Kirti – Prameya-News7 Bureau | October 15, 2025 10:55 AM
NEWS7
ଖଲ୍ଲିକୋଟ ୧୫।୧୦ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନୂଆଁ ସାହିରେ ଅଘଟଣ । ଇଭି ବାଇକ୍ ବ୍ୟାଟେରୀ ଚାର୍ଜରୁ ଭୟଙ୍କର ଅଗ୍ନିକାଣ୍ଡ । ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ତିନି ମହଲା ଘର । ଘର ଭିତରୁ ୩ଟି ପରିବାରର ୧୧ ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ।
ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ ଟାରେ ଖଲ୍ଲିକୋଟ ନୂଆଁ ସାହିରେ ଏକ ତିନି ମହଲା ଘରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ନୂଆଁ ସାହିର ଅଜିତ ମହାନ୍ତିଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିଲା । ତଳ ମହଲାରେ ଏକ ଇଭି ବାଇକ୍ ବ୍ୟାଟେରୀ ଚାର୍ଜରେ ବସି ଥିବା ବେଳେ ସର୍ଟ ସର୍କିଟ ହୋଇ ପ୍ରଥମେ ଇଭି ବାଇକ୍ଟି ଜଳି ଯାଇଥିଲା । ଏହାପରେ ପାଖରେ ଥିବା ଗ୍ୟାସ ସିଲିଣ୍ଡରରେ ଲାଗିଥିଲା ନିଆଁ l ଏହାପରେ କିଛି ସମୟ ପରେ ସିଲିଣ୍ଡରଟି ଫାଟି ଯାଇଥିଲା l ଯାହାଫଳରେ ନିଆଁ ଉପର ମହଲାକୁ ବ୍ୟାପି ଯାଇଥିଲା l ବିଳମ୍ୱିତ ରାତିରେ ପ୍ରଚଣ୍ଡ ଶବ୍ଦ ଶୁଣି ସାହି ବାସିନ୍ଦା ଘରୁ ବାହାରି ଆସିଥିଲେ l ସେହି ଘରେ ରହୁଥିବା ତିନୋଟି ପରିବାରର ୧୧ ଜଣ ସଦସ୍ୟଙ୍କ ମଧ୍ୟରୁ ୨ ଶିଶୁ ରହିଥିବା ବେଳେ ଅନ୍ୟ ୪ ଜଣ ବାରି ପଛ ପଟ ରାସ୍ତା ଦେଇ ଜୀବନ ବିକଳରେ ବାହାରକୁ ଦୌଡ଼ି ଚାଲି ଆସିଥିଲେ l ଅନ୍ୟ ୬ ଜଣଙ୍କୁ ଅଗ୍ନିଶମ ବାହିନୀ ଘର ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ l ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷୟ କ୍ଷତି ହୋଇଥିବା ଆକଳନ କରାଯାଇଛି।




