ଇତିହାସ ରଚିଲେ ବୈଭବ, ଭାଙ୍ଗିଲେ ୩୬ ବର୍ଷ ପୁରୁଣା ରେକର୍ଡ
ଭାରତୀୟ ଦଳରେ ଚୟନ ହେବା ମାତ୍ରେ ବୈଭବ ସବୁଠାରୁ କମ୍ ବୟସରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିବା ବ୍ୟାଟର ବନିଯାଇଛନ୍ତି। ସେ ସଚିନଙ୍କ ସର୍ବକନିଷ୍ଠ ଖେଳାଳି ଭାବେ ଦଳରେ ସାମିଲ ହେବାର ରେକର୍ଡକୁ ନିଜ ନାଁରେ କରିଛନ୍ତି ।
Published By: Tapas – Prameya-News7 Bureau | June 06, 2026 06:21 PM
NEWS7
ନୂଆଦିଲ୍ଲୀ: କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଇତିହାସ ରଚିଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସିନିୟର ଭାରତୀୟ ଦଳରେ ସ୍ଥାନ ପାଇ ସେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ୩୬ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଶନିବାର ଦିନ ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ଆଗାମୀ ଆୟରଲ୍ୟାଣ୍ଡ, ଇଂଲଣ୍ଡ ଗସ୍ତ ଏବଂ ଏସିଆନ ଗେମ୍ସ ପାଇଁ ବୈଭବଙ୍କ ନାମ ଘୋଷଣା କରିବା ପରେ ସଚିନଙ୍କ ରେକର୍ଡ ବ୍ରେକ ହୋଇଛି ।
ଭାଙ୍ଗିଲା ସଚିନଙ୍କ ୩୬ ବର୍ଷର ପୁରୁଣା ରେକର୍ଡ
ଭାରତୀୟ ଦଳରେ ଚୟନ ହେବା ମାତ୍ରେ ବୈଭବ ସବୁଠାରୁ କମ୍ ବୟସରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିବା ବ୍ୟାଟର ବନିଯାଇଛନ୍ତି। ସେ ସଚିନଙ୍କ ସର୍ବକନିଷ୍ଠ ଖେଳାଳି ଭାବେ ଦଳରେ ସାମିଲ ହେବାର ରେକର୍ଡକୁ ନିଜ ନାଁରେ କରିଛନ୍ତି । ୧୯୮୯ ମସିହାରେ ଯେତେବେଳେ ପ୍ରଥମ ଥର ପାକିସ୍ତାନ ଗସ୍ତ ପାଇଁ ସଚିନ ଭାରତୀୟ ଦଳରେ ସ୍ଥାନ ପାଇଥିଲେ, ସେତେବେଳେ ତାଙ୍କ ବୟସ ଥିଲା ୧୬ ବର୍ଷ ୨୦୫ ଦିନ।
ଶନିବାର ଦଳ ଘୋଷଣା ହେବା ବେଳକୁ ବୈଭବଙ୍କ ବୟସ ମାତ୍ର ୧୫ ବର୍ଷ ୭୧ ଦିନ। ଏହିପରି ଭାବେ ସେ ସଚିନଙ୍କ ୩୬ ବର୍ଷର ରେକର୍ଡକୁ ନିଜ ନାଁରେ କରିଛନ୍ତି। କେବଳ ଦଳରେ ଚୟନ ହେବା ନୁହେଁ, ବରଂ ସବୁଠାରୁ କମ୍ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସଚିନଙ୍କ ରେକର୍ଡ ମଧ୍ୟ ଏବେ ଭାଙ୍ଗିବାକୁ ଯାଉଛି । ସଚିନ ୧୮ ଡିସେମ୍ବର ୧୯୮୯ରେ ପାକିସ୍ତାନ ବିପକ୍ଷରେ ୧୬ ବର୍ଷ ୨୩୮ ଦିନ ବୟସରେ ନିଜର ପ୍ରଥମ ଦିନିକିଆ (ODI) ମ୍ୟାଚ୍ ଖେଳିଥିଲେ।
ଚଳିତ ମାସ ଜୁନ୍ ୨୬ ତାରିଖରେ ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍ରେ ଯଦି ବୈଭବଙ୍କୁ ଚୂଡ଼ାନ୍ତ ଏକାଦଶ (Playing XI)ରେ ସୁଯୋଗ ମିଳେ, ତେବେ ସେ ମାତ୍ର ୧୫ ବର୍ଷ ୯୧ ଦିନ ବୟସରେ ଭାରତ ପାଇଁ ପଦାର୍ପଣ କରି ସବୁଠାରୁ କନିଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ହେବାର ଗୌରବ ହାସଲ କରିବେ। ସାରା ଦେଶର କ୍ରିକେଟ୍ ପ୍ରଶଂସକ ଏବେ ଆଶା ରଖିଛନ୍ତି ଯେ, ବୈଭବ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ସବୁଠାରୁ କମ୍ ବୟସରେ ଶତକ ମାରିବାର ରେକର୍ଡ ମଧ୍ୟ ନିଜ ନାମରେ କରିବେ।
ସଚିନ ୧୪ ଅଗଷ୍ଟ ୧୯୯୦ରେ ଇଂଲଣ୍ଡ ବିପକ୍ଷ ମାଞ୍ଚେଷ୍ଟର ଟେଷ୍ଟରେ ୧୭ ବର୍ଷ ୧୧୨ ଦିନ ବୟସରେ ନଟ୍ଆଉଟ୍ ୧୧୯ ରନର ଏକ ଐତିହାସିକ ଇନିଂସ ଖେଳିଥିଲେ। ଗତ ବର୍ଷ ଆଇପିଏଲରେ ଗୁଜରାଟ ବିପକ୍ଷରେ ମାତ୍ର ୧୪ ବର୍ଷ ୩୨ ଦିନ ବୟସରେ ସେ ୩୮ ବଲ୍ରୁ ୧୦୧ ରନ୍ ସଂଗ୍ରହ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଯଦିଓ ଆନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିବା ଏକ ବଡ଼ ଚ୍ୟାଲେଞ୍ଜ, ତଥାପି ବୈଭବଙ୍କ ପାଖରେ ସଚିନଙ୍କ ଏହି ସବୁଠାରୁ କମ୍ ବୟସରେ ଶତକ ମାରିବାର ରେକର୍ଡ ଭାଙ୍ଗିବା ପାଇଁ ଏବେ ବି ଅନେକ ସମୟ ରହିଛି।




