ଇଟାଲୀର ମଝି ସମୁଦ୍ରରେ ଓଲଟିଲା ଡଙ୍ଗା; ଜଣେ ମୃତ, ଅନେକ ନିଖୋଜ
Published By: Simran – Prameya-News7 Bureau | October 20, 2025 08:49 AM
NEWS7
ନୂଆଦିଲ୍ଲୀ ୨୦।୧୦; ଇଟାଲୀରେ ବଡ ଅଘଟଣ । ଉପକୂଳରେ ଏକ ପ୍ରବାସୀ ଡଙ୍ଗା ଓଲଟି ପଡିଛି। ଯାହାଫଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ଦୁଇ ଡଜନ ଲୋକ ନିଖୋଜ ଅଛନ୍ତି। ଲିବିଆରୁ ଯାତ୍ରା କରିଥିବା ଡଙ୍ଗାଟି ଦୁଇ ଦିନ ଧରି ସମୁଦ୍ରରେ ଆସୁଥିବା ବେଳେ ଶୁକ୍ରବାର ବୁଡ଼ି ଯାଇଥିଲା।
ଇଟାଲୀୟ ଲାମ୍ପେଡୁସା ଦ୍ୱୀପ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।ଯେଉଁଠାରେ ଇଟାଲୀୟ ତଟରକ୍ଷୀ ଦଳ ଯାତ୍ରା କରୁଥିବା ଚାରି ଜଣ ଶିଶୁ ସମେତ ୧୧ ଜଣଙ୍କୁ ଉଦ୍ଧାର କରିଥିଲେ। ୟୁନିସେଫ୍ ଇଟାଲୀ ସଂଯୋଜକ ନିକୋଲୋ ଡେଲ‘ଆର୍କିପ୍ରେଟ୍ କହିଛନ୍ତି ଯେ ମୃତ ମହିଳା ଗର୍ଭବତୀ ଥିଲେ ଏବଂ ତାଙ୍କ ମୃତଦେହ ଲାମ୍ପେଡୁସାକୁ ଅଣାଯାଇଛି।
ରବିବାର ଏକ ପୃଥକ ଘଟଣାରେ ଆଉ ଦୁଇଜଣ ମୃତ୍ୟୁବରଣ କରିଛନ୍ତି। ୧୪ ଜଣ ଗୁରୁତର ଅସୁସ୍ଥ ଥିବା ଜଣାପଡ଼ିଛି। ଡଙ୍ଗାଟି ପାକିସ୍ତାନ, ଇରିଟ୍ରିଆ ଏବଂ ସୋମାଲିଆରୁ ୮୫ ଜଣଙ୍କୁ ନେଇ ଇଟାଲୀ ଅଭିମୁଖେ ଯାତ୍ରା କରୁଥିଲା। ଇଟାଲୀୟ ଟିକସ ପୋଲିସ ଲାମ୍ପେଡୁସା ଉପକୂଳରୁ ୧୬ ନଟିକାଲ ମାଇଲ ଦୂରରେ ଡଙ୍ଗାଟିକୁ ଅଟକାଇଥିଲା ଏବଂ ଗୁରୁତରଙ୍କୁ ଡାକ୍ତରଖାନା ନିଆଯାଇଥିଲା।




