ତିରୁଅନନ୍ତପୁରମ ୧୬।୧୧: ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ମିଳିଥିବା ବମ୍ପର ବିଜୟ ପରେ ଆସାମ ବିଜେପି ନେତା ତଥା ମନ୍ତ୍ରୀ ଅଶୋକ ସିଂଘଲ ଏକ ସୋସିଆ ମିଡିଆ ପୋଷ୍ଟ କରିଛନ୍ତି। ଏହା ଏବେ ଦେଶରେ ବିବାଦର କାରଣ ପାଲଟିଛି। ଏହି ପୋଷ୍ଟରେ ଅଶୋକ କୋବି ଖେତର ଛବି ସେୟାର କରିଛନ୍ତି। ହେଲେ ସୋସିଆଲ ମିଡିଆ ୟୁଜର ଏହାକୁ ଏବେ ଭାଗଲପୁର ଦଙ୍ଗା ସହ ଯୋଡି ବିଜେପି ନେତାଙ୍କୁ ଟ୍ରୋଲ କରୁଛନ୍ତି।
ଆସାମ କ୍ୟାବିନେଟ୍ ମନ୍ତ୍ରୀ ଅଶୋକ ସିଂଘଲ ନିର୍ବାଚନ ଫଳାଫଳ ଘୋଷଣା ମଧ୍ୟରେ କୋବି ଖେତର ଛବି ପୋଷ୍ଟ କରି ଲେଖିଛନ୍ତି ଯେ ‘ବିହାର କୋବି ଚାଷକୁ ମଞ୍ଜୁର କରିଛି’। ଏହାକୁ ଜନୈକ ୟୁଜର ନିଜ ପୋଷ୍ଟରେ ଶଶି ଥରୁରଙ୍କୁ ଟ୍ୟାଗ୍ କରିଛନ୍ତି। ୟୁଜର ସିଂଘଲଙ୍କ ପୋଷ୍ଟର ଜବାବରେ ଲେଖିଛନ୍ତି ଯେ ‘ଜଣେ କ୍ୟାବିନେଟ ମନ୍ତ୍ରୀ ନିର୍ବାଚନୀ ବିଜୟରେ ଏତେ ଆତ୍ମହରା ହୋପଡିଛନ୍ତି ଯେ ୧୧୬ ମୁସଲମାନଙ୍କ ନରସଂହାରର ମହିମା ମଣ୍ଡନ କରୁଛନ୍ତି, ନିଜକୁ ଗୌରବାନ୍ୱିକ ମନେ କରୁଛନ୍ତି’। ଏହି ପୋଷ୍ଟକୁ ସେ ଥରୁରଙ୍କୁ ଟ୍ୟାଗ୍ କରି ପଚାରିଛନ୍ତି ଯେ ‘ଜଣେ ବରିଷ୍ଠ କଂଗ୍ରେସ ନେତା ହିସାବରେ କିଛି ପ୍ରଭାବଶାଳୀ ହିନ୍ଦୁ ନେତାଙ୍କୁ ବିହାରୀ ମୁସଲମାନଙ୍କ ବିରୋଧରେ ହୋଇଥିବା ଅତ୍ୟନ୍ତ ନିନ୍ଦନୀୟ ନରସଂହାର ମଧ୍ୟରୁ ଅନ୍ୟତମକୁ ନିନ୍ଦା କରିପାରିବେ କି ’?
Bihar approves Gobi farming ✅ pic.twitter.com/SubrTQ0Mu5
— Ashok Singhal (@TheAshokSinghal) November 14, 2025
ଏହା ପରେ ଶଶି ଥରୁର ଏହି ପୋଷ୍ଟ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ପରୋକ୍ଷ ରୂପେ ଆସାମ ବିଜେପି ନେତାଙ୍କ କୋବି ଚାଷ ପୋଷ୍ଟର ଜବାବ ରଖିଛନ୍ତି। ଥରୁର ଲେଖିଛନ୍ତି ‘ସେ କୌଣସି କମ୍ୟୁନିଟି ଅର୍ଗାନାଇଜର ନୁହନ୍ତି, ଏଣୁ ମିଳିତ ବୟାନ ଜାରି କରିବା ତାଙ୍କ କାମ ନୁହେଁ’। ହେଲେ ସେ ଲେଖିଛନ୍ତି ଯେ ‘ଏକ ସମାବେଶୀ ଭାରତର ସମର୍ଥକ ଓ ଗୌରବାନ୍ୱିତ (ପ୍ରାଉଡ) ହିନ୍ଦୁ ହୋଇଥିବାରୁ ମୁଁ ନିଜ ତରଫରୁ ମୋତେ ଜାଣିଥିବା ଅଧିକାଂଶ ହିନ୍ଦୁଙ୍କ ପକ୍ଷରୁ କହିପାରେ ଯେ ନା ତ ଆମର ଧର୍ମ, ନା ଆମର ରାଷ୍ଟ୍ରବାଦ ଏପରି ନରସଂହାରକୁ ସମର୍ଥନ କରେନି କି ଉଚିତ ବୋଲି କହେନି। ଏଣୁ ମୁଁ ନା ତାଙ୍କୁ ପ୍ରଶଂସା କରିପାରିବି ନା ସମର୍ଥନ କରିପାରିବି’।
କୋବି ଚାଷ ପୋଷ୍ଟର କଣ ଅର୍ଥ ବାହାର କରୁଛନ୍ତି ଲୋକେ?
ଆସାମ କ୍ୟାବିନେଟ୍ ମନ୍ତ୍ରୀଙ୍କ ଏହି ପୋଷ୍ଟ ପରେ ଏବେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଆସୁଛି। ଅନେକ ଲୋକେ ଏହାକୁ ୧୯୮୯ରେ ବିହାର ଭାଗଲପୁରରେ ହୋଇଥିବା ଦଙ୍ଗା ସହ ଯୋଡୁଛନ୍ତି। ଏହି ସାମ୍ପ୍ରଦାୟୀକ ଦଙ୍ଗା ୨୪ ଅକ୍ଟୋବର ୧୯୮୬ରେ ଆରମ୍ଭ ହୋଇଥିଲା। ଏଥିରେ ଉତ୍ତର ଭାରତର ପାଖାପାଖି ୨୫୦ ଗ୍ରାମ ପ୍ରଭାବିତ ହୋଇଥିଲେ। ଏହି ସବୁ ଦଙ୍ଗାରେ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁସାରେ ଭାଗଲପୁର ଜିଲ୍ଲା ଗୋରାଡିହ ବ୍ଲକର ଲୋଗ୍ୟାନ ଗାଁରେ ୧୧୦ରୁ ଅଧିକ ମୁସଲମାନଙ୍କୁ ହତ୍ୟା କରାଯାଇଥିଲା ଓ ଯେଉଁଠି ମୃତକଙ୍କୁ ପୋତା ଯାଇଥିଲା ସେଠାରେ ଲୋକେ କୋବି ଚାରା ରୋଇ ଦେଇଥିଲେ। ଏଣୁ ଆସାମ ମନ୍ତ୍ରୀଙ୍କ କୋବି ଚାଷ ପୋଷ୍ଟକୁ ଲୋକେ ଏବେ ଭାଗଲପୁର ସାମ୍ପ୍ରଦାୟିକ ଦଙ୍ଗା ସହ ଯୋଡୁଛନ୍ତି।




