ଗୌହାଟୀ ୧୭।୧୧: ନିର୍ବାଚନ ଆୟୋଗ ସୋମବାର ଆସାମରେ ଭୋଟର ଲିଷ୍ଟ ‘ବିଶେଷ ପୁନରୀକ୍ଷଣ’ ଲାଗି ଆଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ରାଜ୍ୟର ଚୂଡ଼ାନ୍ତ ଭୋଟର ଲିଷ୍ଟ ୧୦ ଫେବୃଆରୀ ୨୦୨୬ରେ ପ୍ରକାଶ କରାଯିବ। ତେବେ ଆସାମରେ ବିଶେଷ ପୁନରୀକ୍ଷଣ (ଏସଆର) କେରଳ, ପୁଡୁଚେରୀ, ତାମିଲନାଡୁ ଓ ପଶ୍ଚିମବଙ୍ଗ ସହିତ ୧୨ଟି ରାଜ୍ୟରେ ହେଉଥିବା ଏସଆଇଆର ଭଳି ହେବନି। ଆସାମରେ ଭୋଟରଙ୍କୁ ନା କୌଣସି ଫର୍ମ ପୂରଣ କରିବାକୁ ପଡିବ ନା କୌଣସି ଡକ୍ୟୁମେଣ୍ଟ ଦେବାକୁ ପଡିବ। ଏଣୁ ଆସାମ ଏସଆର ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆସାମ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲାଗି ଆୟୋଗ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁସାରେ ୧ ଜାନୁୟାରୀ ୨୦୨୬ ରାଜ୍ୟ ଲାଗି ବିଶେଷ ପୁନରୀକ୍ଷଣ ନିମନ୍ତେ ପାତ୍ରତା ତିଥି ହେବ। ଅଧିକାରୀଙ୍କ ଅନୁସାରେ ବିଶେଷ ପୁନରୀକ୍ଷଣ, ଭୋଟର ସୂଚୀର ବାର୍ଷିକ ବିଶେଷ ସାରଂସ ପୁନରୀକ୍ଷଣ ଓ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) ଏକ ମଧ୍ୟବର୍ତ୍ତିକାଳୀନ ପ୍ରକ୍ରିୟା। ଏଥିରେ ଫର୍ମ ପୂରଣ କରିବା ବଦଳେ ବୁଥ ସ୍ତର ଅଧିକାରୀ ପୂର୍ବରୁ ଥିବା ରେଜିଷ୍ଟର ଆଧାରରେ ଭୋଟରଙ୍କ ସୂଚନା ସଂଗ୍ରହ କରିବେ ଓ ଯାଞ୍ଚ କରିବେ।
ECI directs Special Revision of voter list for Assam.
This Special Revision (SR) is different than the Special Intensive Revision (SIR) of voters list being carried out in 12 States including Kerala, Puducherry, Tamil Nadu and West Bengal.
In Assam, electors need not fill any… pic.twitter.com/0uZVzl6QSD
— Arvind Gunasekar (@arvindgunasekar) November 17, 2025
କାର୍ଯ୍ୟକ୍ରମ ଅନୁସାରେ ଘରକୁ ଘର ଯାଇ ସତ୍ୟାପନ ୨୨ ନଭେମ୍ବରରୁ ୨୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏହା ପରେ ଚିଠା ମତଦାତା ସୂଚୀ ଡିସେମ୍ବର ୨୭ରେ ଓ ଚୂଡ଼ାନ୍ତ ଭୋଟର ଲିଷ୍ଟ ଆଗାମୀ ବର୍ଷ ଫେବୃଆରୀ ୧୦ ତାରିଖରେ ଜାରି ହେବ। ନିର୍ବାଚନ ଆୟୋଗ ଗତମାସରେ ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ପୁଡୁଚେରୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହ ସମେତ ଲକ୍ଷା ଦ୍ୱୀପ ନିମନ୍ତେ ଏସଆଇଆର ନିର୍ଦ୍ଦେଶ ଦେଇଥିଲେ। ଏଥି ମଧ୍ୟରୁ ତାମିଲନାଡୁ, ପୁଡୁଚେରୀ ଓ ପଶ୍ଚିମବଙ୍ଗରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ହେବ। ସେହିପରି ଆସାମରେ ମଧ୍ୟ ୨୦୨୬ରେ ବିଧାନସଭା ନିର୍ବାଚନ ହେବ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଥିଲେ ଆସାମରେ ଏସଆଇଆର କରିବା ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ଏକ ବିଶେଷ ଆଦେଶ ଜାରି କରାଯିବ। ସେ କହିଥିଲେ ଯେ ‘ନାଗରିକତା ଅଧିନିୟମରେ ଆସାମରେ ନାଗରିକତା ଲାଗି ଅଲଗା ପ୍ରାବଧାନ ରହିଛି। ସୁପ୍ରିମକୋର୍ଟଙ୍କ ଦେଖରେଖରେ ଚାଲିଥିବା ନାଗରିକତା ଯାଞ୍ଚ କାମ ପାଖାପାଖି ଶେଷ ପର୍ଯ୍ୟୟରେ ପହଞ୍ଚିଛି। ତେବେ ୨୪ ଜୁନ ଏସଆଇଆର ଆଦେଶ ପୁରା ଦେଶ ଲାଗି ଥିଲା। ଏପରି ପରିସ୍ଥିତିରେ ଏହା ଆସାମ ପାଇଁ ଲାଗୁ ନୁହେଁ’। ତେବେ ନିର୍ବାଚନ ଆୟୋଗ ସୋମବାର ଆସାମରେ ପୃଥକ ରୂପେ ବିଶେଷ ପୁନରୀକ୍ଷଣର ଆଦେଶ ଦେଇଛନ୍ତି।




