ଭୁବନେଶ୍ବର ୧୪।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆସନ୍ତା ୨୦ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ନୂଆପଡ଼ା ରଣ ଜିତିବାକୁ ପ୍ରମୁଖ ୩ ରାଜନୈତିକ ଦଳ ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଏହାରି ଭିତରେ ନୂଆପଡ଼ା ଉପନିର୍ବାଚନକୁ ନେଇ ବଡ଼ ଖବର ଆସିଛି । ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି, ଆସନ୍ତା ୧୬ ତାରିଖରେ ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ । ସେଥିପାଇଁ ୧୬ ତାରିଖରେ ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବା ସହ ବିଶାଳ ସମାବେଶ କରିବେ । ଏ ନେଇ ସୂଚନା ଦେଲେ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର । ସେହିଦିନ ଦୁଇ ହଜାରରୁ ଅଧିକ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହେବେ ବୋଲି ସୁଜିତ କୁମାର ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଜୟ ଢୋଲକିଆଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି । କେବଳ ଘୋଷଣା ବାକି ରହିଛି ।
ସୂଚନାଯୋଗ୍ୟ ଯେ, ସୋମବାର ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୦ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ସେପଟେ ନୂଆପଡ଼ା ରଣ ଜିତିବାକୁ ପ୍ରମୁଖ ୩ ରାଜନୈତିକ ଦଳ ଭିତରେ ଆରମ୍ଭ ହୋଇଯାଇଛି ଛକାପଞ୍ଝା । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ପ୍ରଚାରକୁ ଓହ୍ଲାଇଥିବା ବେଳେ ମିଶ୍ରଣ ପର୍ବ କରି ବଳ ବଢ଼ାଇବାରେ ଲାଗିଛି କଂଗ୍ରେସ । ନୂଆପଡ଼ା ଖୁଣ୍ଟିଆ ଭବନରେ ନୂଆପଡ଼ା ଏନଏସିର ୫୦ରୁ ଅଧିକ ନେତା କର୍ମୀ ବିଜେଡି ଓ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି । ଖୋଦ୍ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ହୋଇଥିଲା ମିଶ୍ରଣ ପର୍ବ । ଏହି ନେତା କର୍ମୀଙ୍କ ଯୋଗଦାନ ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସର ଶକ୍ତି ବୃଦ୍ଧି କରିବ ବୋଲି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି କହିଥିଲେ । ସେପଟେ ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ ପଦ୍ମ କ୍ୟାମ୍ପକୁ ଯିବା ପରେ ଏବେ ପ୍ରାର୍ଥୀ ଖୋଜିବାକୁ ନୂଆପଡ଼ାରେ ଡେରା ପକାଇଛି ବିଜେଡି ଟିମ୍ । ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ଏହି ଟିମ୍ ସୋମବାର ଖରିଆର ରୋଡ୍ ଠାରେ ଏକ ବୈଠକ କରି ପଞ୍ଚାୟତସ୍ତରର ନେତା ଓ କର୍ମୀଙ୍କ ମତାମତ ସଂଗ୍ରହ କରିଛନ୍ତି । ମାନସ ମନ୍ଥନ ପରେ ପ୍ରତି ପଞ୍ଚାୟତ ଓ ଦୁଇଟି ପୌର ପରିଷଦର କର୍ମୀଙ୍କ ସହ ଆଲୋଚନା କରିବା ସହ ମଙ୍ଗଳବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେବା ପରେ ବିଜେଡି ପ୍ରାର୍ଥୀ ଘୋଷଣା କରିବ ବୋଲି କହିଥିଲେ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସ ବର୍ମା । ସେହିଭଳି ଜୟ ଢ଼ୋଲକିଆଙ୍କୁ ନୂଆପଡ଼ାରେ ବିଜେପି ପ୍ରାର୍ଥୀ କରିବା ଏକ ପ୍ରକାର ଫାଇନାଲ ହୋଇଥିଲେ ମଧ୍ୟ କେବଳ ସଂସଦୀୟ ବୋର୍ଡ଼ ମୋହରକୁ ଅପେକ୍ଷା କରାଯାଇଛି । ନୂଆପଡ଼ାରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଆଗାମୀ ରଣନୀତି ପ୍ରସ୍ତୁତ କରିଛନ୍ତି ।
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରମୁଖ ତିନି ରାଜନୈତିକ ଦଳ ବିଜେପି-ବିଜେଡି ଓ କଂଗ୍ରେସ ନିଜ ନିଜ ଷ୍ଟ୍ରାଟେଜିରେ ଆଗକୁ ବଢ଼ୁଛନ୍ତି । ବିଜେପି ସରକାରକୁ ଆସିବା ପରେ ପ୍ରଥମ ଥର ଉପନିର୍ବାଚନକୁ ସାମ୍ନା କରୁଛି । ଏମିତିରେ ନୂଆପଡ଼ା ଦଖଲ ବିଜେପି ପାଇଁ ବଡ଼ ଚାଲେଞ୍ଜ ହୋଇଛି । ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି । ମଣ୍ଡଳ ଠାରୁ ଆରମ୍ଭ କରି ପଞ୍ଚାୟତ ଓ ବ୍ଲକ ଜଗିବେ ବିଜେପି ବିଧାୟକ, ମନ୍ତ୍ରୀ, ସାଂସଦ । ପ୍ରତି ମଣ୍ଡଳ ଦାୟିତ୍ବରେ ରହିବେ ଜଣେ ଲେଖାଏଁ ମନ୍ତ୍ରୀ । ମନ୍ତ୍ରୀଙ୍କ ଅଧୀନରେ ରହିବ ୬ ରୁ ୮ ପଞ୍ଚାୟତ । ପ୍ରତି ପଞ୍ଚାୟତ ଦାୟିତ୍ବରେ ରହିବେ ଜଣେ ଲେଖାଏଁ ବିଧାୟକ ଓ ପୂର୍ବତନ ବିଧାୟକ । ସମସ୍ତ ସାଂସଦ, ବିଧାୟକ, ପୂର୍ବତନ ବିଧାୟକଙ୍କୁ ଦିଆଯାଇଛି ଦାୟିତ୍ବ । ଏମିତିକି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡ଼ାରେ ମାରାଥନ ପ୍ରଚାରକୁ ଓହ୍ଲାଇବାକୁ ପ୍ଲାନ୍ ପ୍ରସ୍ତୁତ ହୋଇଛି । ବିଜେଡି ମଧ୍ୟ ନିଜ ଗଡ଼ ରକ୍ଷା ପାଇଁ ପ୍ରସ୍ତୁତ କରିଛି ଯୋଜନା । ନୂଆପଡା ଉପରେ ଅଭିଜ୍ଞତା ଥିବା ନେତାଙ୍କୁ ଦଳ ଦେଇଛି ଗୁରୁଦାୟିତ୍ବ । ୩ଟି ଭିନ୍ନ ଭିନ୍ନ କମିଟି ଗଠନ କରିଛି ବିଜେଡି । ଷ୍ଟିଅରିଂ କମିଟି, ଜୋନାଲ କମିଟି ଓ ଲୋକାଲ ଆକ୍ସନ କମିଟି ଗଠନ କରି ପଶ୍ଚିମ ଓଡ଼ିଶା ନେତାଙ୍କୁ ମଙ୍ଗ ସମ୍ଭାଳିବାକୁ କୁହାଯାଇଛି । ରାଜ୍ୟ ନେତୃତ୍ବ ସହ ସମନ୍ବୟ ରକ୍ଷା କରି ଷ୍ଟିଅରିଂ କମିଟି ସବୁ ଯୋଜନାକୁ କାର୍ଯ୍ୟକାରୀ କରିବେ । ସେହିପରି ଜୋନାଲ କମିଟି ପଞ୍ଚାୟତ ସହ ମୁନିସିପାଲିଟି ଜଗିବେ । ଏହାସହ ଲୋକାଲ ଆକ୍ସନ କମିଟି ମଧ୍ୟ ସ୍ଥାନୀୟ ଆଧାରରେ ରଣନୀତି କରିବାକୁ ଯୋଜନା ରହିଛି । ସେପଟେ କଂଗ୍ରେସ ପକ୍ଷରୁ ମଧ୍ୟ ବୁଥ୍ କମିଟି ଗଠନ କରାଯାଇଛି । ସମସ୍ତ ବିଧାୟକଙ୍କୁ ନୂଆପଡାରେ ଦାୟିତ୍ବ ଦେଇଛି ଦଳ । ଜଣେ ବିଧାୟକ ଦୁଇ ଦୁଇଟା ଜୋନର ଦାୟିତ୍ବ ନେଇଛନ୍ତି । ପିସିସି ସଭାପତି ଭକ୍ତ ଚରଣ ଦାସ ନୂଆପଡା ଦାୟିତ୍ବରେ ରହିବା ସହ ପ୍ରଚାର ମଙ୍ଗ ଧରିଛନ୍ତି । ବିହାର ନିର୍ବାଚନ ଥିବାରୁ କେନ୍ଦ୍ରୀୟ ନେତା ନୂଆପଡ଼ାରେ ପ୍ରଚାର ପାଇଁ ଆସିନପାରନ୍ତି ବୋଲି ଅନୁମାନ କରାଯାଉଛି ।
ସବୁ ଦଳ ନୂଆପଡ଼ା ରଣ ଜିତିବାକୁ ନିଜ ନିଜ ଷ୍ଟ୍ରାଟେଜିରେ ଆଗକୁ ବଢ଼ୁଛନ୍ତି । ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ପଡିବ । ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଚାଲିବ ।




