ଭୁବନେଶ୍ବର ୨୪।୧୦: ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରୁ ପ୍ରସ୍ତୁତ ହେବ କୋଠ ଭୋଗ । ଏ ନେଇ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଆସନ୍ତା ରଥଯାତ୍ରା ସମୟରେ ଅମୃତ ଅନ୍ନ ଯୋଜନାରେ ଜୈବିକ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ । ଏଥିପାଇଁ ବରଗଡ଼, କଟକ ଏବଂ କୋରାପୁଟ ଜିଲ୍ଲାରେ ଜୈବିକ ଚାଷ କରାଯାଉଛି । ବଳଭଦ୍ର ଜୈବିକ ଚାଷ ମିଶନରେ ଜୈବିକ ଚାଷ ପାଇଁ ସହାୟତା ଦିଆଯାଇଛି ।
କୋଠ ଭୋଗ ପାଇଁ ଆବଶ୍ୟକୀୟ ପରିମାଣର ଚାଉଳ ଅମଳ ହେବ । ଯଦି ବଳକା ରହେ କିଛି ପରିମାଣର ମହାପ୍ରସାଦ ମଧ୍ୟ କରାଯିବ । ଆନନ୍ଦ ବଜାରରେ ଜୈବିକ ମହାପ୍ରସାଦ ପାଇଁ ହେବ ସ୍ୱତନ୍ତ୍ର କାଉଣ୍ଟର । ପରବର୍ତ୍ତୀ ସମୟରେ ଜୈବିକ ପନିପରିବା ମଧ୍ୟ ବ୍ୟବହାର କରାଯିବ । ଗତ ରଥଯାତ୍ରା ବେଳେ ମାଉସୀ ମା’ ମନ୍ଦିରରେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଭୋଗରେ ବ୍ୟବହାର ହୋଇଥିଲା ।
ରାସାୟନିକ ସାର ବିନା ଉତ୍ପାଦନ ହୁଏ ଜୈବିକ ଚାଉଳ । କୃଷି ବିଭାଗ ପକ୍ଷରୁ ଜୈବିକ ଚାଉଳ ପ୍ରସ୍ତୁତ ପାଇଁ ବିଭିନ୍ନ ଜିଲ୍ଲାର ଚାଷୀଙ୍କ ସହିତ ଚୁକ୍ତି କରାଯାଇଛି । ଜୈବିକ ଚାଉଳ ପ୍ରସ୍ତୁତ ହେବା ପରେ ଚାଷୀଙ୍କ ଠାରୁ ସିଧାସଳଖ ରାଜ୍ୟ କୃଷି ବିଭାଗ ଚାଉଳ ସଂଗ୍ରହ କରି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବ । ତେବେ ଶ୍ରୀମନ୍ଦିରରେ ଦୈନିକ ମହାପ୍ରଭୁଙ୍କର କୋଠ ଭୋଗ ପାଇଁ ଦୁଇ କ୍ବିଣ୍ଟାଲ ଚାଉଳର ବ୍ୟବହାର ହେଉଛି । ସେହିପରି ପ୍ରତିଦିନ ବରାଦି ଭୋଗ ଏବଂ କୋଠ ଭୋଗ ପାଇଁ ଶ୍ରୀମନ୍ଦିରରେ ୨ଶହ କ୍ବିଣ୍ଟାଲ ଚାଉଳ ଆବଶ୍ୟକ ହେଉଛି । ତେବେ ସୀମିତ ପରିମାଣର ଜୈବିକ ଚାଉଳ ଉତ୍ପାଦନ ହେଉଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ଆଗାମୀ ରଥଯାତ୍ରା ଠାରୁ ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତିରେ ସବୁଦିନ ଜୈବିକ ଚାଉଳ ବ୍ୟବହାର ହେବ । ସେପଟେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସୁଆର ମହାସୁଆର ନିଯୋଗ ଓ ସେବାୟତ ।
ଜୈବିକ ଚାଉଳରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବହୁ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି କ୍ରମରେ କିଛି ଜୈବିକ ଚାଉଳକୁ କୋଠ ଭୋଗରେ ପ୍ରସ୍ତୁତ କରି ଚାଉଳର ମାନ ପରୀକ୍ଷା କରାଯାଇଥିଲା । ତେବେ ନୂଆ ଚାଉଳ ଯୋଗୁଁ କୋଠ ଭୋଗ ଅନ୍ନ ପ୍ରସ୍ତୁତିରେ କିଛି ସମସ୍ୟା ଦେଖାଦେଇଥିଲା । ଏଣୁ ପୁରୁଣା ଜୈବିକ ଚାଉଳକୁ ବ୍ୟବହାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ନିଷ୍ପତ୍ତି ନେଇଛି ।




