ଭୁବନେଶ୍ବର ୨୯।୧୦: ବାତ୍ୟା ‘ମୋନ୍ଥା’ ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । କ୍ଷୟକ୍ଷତିର ରିପୋର୍ଟ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାରେ ବାତ୍ୟା ‘ମୋନ୍ଥା’ର ବିଶେଷ ପ୍ରଭାବ ପଡ଼ିନଥିଲେ ବି କିଛି ଜିଲ୍ଲାରେ ଆଂଶିକ ପ୍ରଭାବ ପଡିଥିବା ସୂଚନା ମିଳିଛି । ସମୀକ୍ଷା ପରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ଆମେ ବାତ୍ୟାରୁ ରକ୍ଷା ପାଇଯାଇଛୁ, ଏହା ଆମ ପାଇଁ ଡ୍ରେସ୍ ରିହର୍ସାଲ ଥିଲା । ଗୁରୁବାର ପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ପଡ଼ିବ । ଗୁରୁବାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୩୩ଟି ବ୍ଲକ ଓ ୧୧ଟି ସହରାଞ୍ଚଳ ପ୍ରଭାବିତ ହୋଇଛି ।
ଖୁବ୍ଶୀଘ୍ର ଆକଳନ ହେବ କ୍ଷୟକ୍ଷତି । ଗୁରୁବାର ଠାରୁ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯିବ । କ୍ଷତି ହୋଇଥିବା ଶସ୍ୟ ଠିକ୍ ଆକଳନ କରିବେ ଅଧିକାରୀ । ୭୨ ଘଣ୍ଟାରେ ରିପୋର୍ଟ ଦେବେ । ଅଧିକ ସରକାରୀ କର୍ମଚାରୀ ଆବଶ୍ୟକ ହେଲେ ଅନ୍ୟ ଜିଲାରୁ କର୍ମଚାରୀଙ୍କୁ ଅଣାଯିବ । ବହୁ ସ୍ଥାନରେ ଘର କାନ୍ଥ ପଡିଛି ସେମାନଙ୍କୁ ପଲିଥିନ ଦିଆଯାଇଛି । ଘର କ୍ଷତି ହୋଇଥିଲେ ଆକଳନ ପରେ କ୍ଷତିପୂରଣ ଦିଆଯିବ । ଆକଳନ ବେଳେ ବ୍ୟାଙ୍କ ଖାତା, ଆକାଉଣ୍ଟ ନମ୍ବର ମାଗିବେ ଅଧିକାରୀ, ଅନଲାଇନରେ ତୁରନ୍ତ ଦିଆଯିବ କ୍ଷତିପୂରଣ ।
ଗଜପତି ଜିଲ୍ଲାର ଗୋଶାଣୀ ବ୍ଲକରେ ସର୍ବାଧିକ ୧୫୦ମିଲିମିଟର ବର୍ଷା ହୋଇଛି । ୫୬ଟି ବ୍ଲକରେ ୫୦ରୁ ୧୦୦ ମିଲିମିଟର ବର୍ଷା ହୋଇଛି । ୧୬୧ଟି ଟିମ୍ ବାତ୍ୟା ମୁକାବିଲା ପାଇଁ ନିୟୋଜିତ ଥିଲେ । ୨୧୬୪ଟି ବାତ୍ୟା ଆଶ୍ରୟସ୍ଥଳୀରେ ୧୯ ହଜାର ଲୋକଙ୍କୁ ସ୍ଥାନାନ୍ତିରତ କରାଯାଇଥିଲା । ୨୧୮୯ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା ।
ନିରବଚ୍ଛିନ୍ନ ବିଦ୍ୟୁତ ସେବା ଆହ୍ୱାନ ଥିଲା । ନିରବଚ୍ଛିନ୍ନ ହୋଇଥିବା ବିଦ୍ୟୁତ ସେବା ସଂଯୋଗ ସରିଲାଣି । ଗଛ କାଟି ରାସ୍ତା ସଫା କରାଯାଇଛି । ୩୬୨ଟି ସ୍ଥାନରେ ୧୮ ହଜାର ୭୬୨ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ୨୯ ଅକ୍ଟୋବର ଆଜିର ଦିନରେ ୧୯୯୯ ମସିହାରେ ମହାବାତ୍ୟା ଆସିଥିଲା । IMDର ପୂର୍ବ ଆକଳନ ସଂଯୋଗ ବଶତଃ ବାତ୍ୟା ‘ମୋନ୍ଥା’ ୨୯ ତାରିଖରେ ହେବାର ଥିଲା । ବାତ୍ୟାରୁ ଓଡ଼ିଶା ରକ୍ଷା ପାଇଛି । ବାତ୍ୟା ଦିଗ ପରିବର୍ତ୍ତନ କଲା ଓଡ଼ିଶାର ସୀମା ଛୁଇଁ ଝାଡ଼ଖଣ୍ଡ ଗଲା ବୋଲି ମନ୍ତ୍ରୀ କହିଛନ୍ତି ।




