ନୂଆଦିଲ୍ଲୀ : ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟ ଦେଲେ ଆଉ ଏକ ନିର୍ଦ୍ଦେଶ। ଶୁକ୍ରବାର ( ୨୨ ଅଗଷ୍ଟରେ) କୋର୍ଟ କହିଛନ୍ତି ଯେ,ଦିଲ୍ଲୀରେ ବୁଲା କୁକୁରଙ୍କୁ ଛାଡ଼ିବା ଉପରେ ରୋକ୍ ଲଗାଇବାରେ ତାଙ୍କର ଗତ ନିର୍ଦ୍ଦେଶ ବହୁତ କଠୋର ଥିଲା। ସେ କହିଛନ୍ତି ଯେ, କୌଣସି ବି ନିର୍ଦ୍ଦେଶ ଦେବା ପୂର୍ବରୁ ଇନଫ୍ରାଷ୍ଟକଚର ( ଭିତ୍ତିଭୂମି)କୁ ମଧ୍ୟ ଦେଖିବା ଆବଶ୍ୟକ। କୋର୍ଟ ଏହି ଟିପ୍ପଣୀ ଦିଲ୍ଲୀ ଓ ଏନସିଆର (ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ)ରେ ବୁଲା କୁକୁରଙ୍କ ପ୍ରବନ୍ଧନ ସମ୍ୱନ୍ଧିତ ନିଜର ୧୧ ଅଗଷ୍ଟର ଆଦେଶରେ ସଂଶୋଧନ କରି ଦେଇଛନ୍ତି। ଏବେ ନୂଆ ଆଦେଶରେ ନିର୍ଦ୍ଦେଶ ଦିଆ ଆଇଛି ଯେ, ରେବିଜ୍ରେ ପୀଡ଼ିତ ବା ଆକ୍ରମଣାତ୍ମକ ବ୍ୟବହାର କରୁଥିବା କୁକୁର ବ୍ୟତୀତ ସମସ୍ତ ପ୍ରାଣୀଙ୍କୁ ବନ୍ଧ୍ୟାକରଣ ଓ ଟୀକାକରଣ ପରେ ସେହି ଅଞ୍ଚଳରେ ପୁଣି ଛାଡ଼ି ଦିଆଯିବ।
ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ମେହଟା ଓ ବିଚାରପତି ଏନଭି ଅଞ୍ଜାରିଆଙ୍କ ବେଞ୍ଚ କହିଛନ୍ତି, ଆମ ବିଚାରରେ, ୧୧ ଅଗଷ୍ଟ , ୨୦୨୫ର ଆଦେଶରେ ଚିକିତ୍ସା ଓ ଟୀକାକରଣ ହୋଇ ଥିବା କୁକୁରକୁ ଛାଡ଼ିବା ଉପରେ ରୋକ୍ ଲଗେଇବା ନିର୍ଦ୍ଦେଶ ଖୁବ୍ କଠୋର ପ୍ରତୀତ ହୋଇ ଥାଏ। ବେଞ୍ଚ ଆହୁରି କହିଛନ୍ତି ଯେ, ପୂରା ବୁଲା କୁକୁରର ଜନସଂଖ୍ୟାକୁ ଜବତ କରିବାର କିଛି ବି ନିର୍ଦ୍ଦେଶ ପୂର୍ବରୁ, ପୌରସଂସ୍ଥା ପାଖରେ ଉପଲବ୍ଧ ଥିବା ଭିତ୍ତିଭୂମି ଓ ମାନବସମ୍ୱଳ ଉପରେ ଏକ ନଜର ପକାଇବା ଜରୁରୀ। କୋର୍ଟ ଶୁକ୍ରବାର ନିଜର ଆଦେଶରେ କହିଛନ୍ତି , ଉପଲବ୍ଧ ଭିତ୍ତିଭୂମିର ମୂଲ୍ୟାଙ୍କନ ବିନା ସବୁ ବୁଲା କୁକୁରଙ୍କୁ ଉଠାଇ କୁକୁରଙ୍କର ଆଶ୍ରୟ ବା ପାଉଣ୍ଡରେ ରଖିବା ଏକ ସାଧାରଣ ନିର୍ଦ୍ଦେଶ ଏକ ଦ୍ୱନ୍ଦ୍ୱ ସ୍ଥିତି ସୃଷ୍ଟି କରିପାରେ , କାରଣ ଏମିତି ନିର୍ଦ୍ଦେଶର ପାଳନ କରିବା ଅସମ୍ଭବ ହୋଇ ପାରେ।
କୋର୍ଟ ନଗର ୟୁନିଟ୍କୁ ପ୍ରତ୍ୟେକ ୱାର୍ଡରେ ନିର୍ଦ୍ଧାରିତ ଖାଦ୍ୟ ଦେବା ପାଇଁ ସ୍ଥାନ ନିର୍ଦ୍ଧାରିତ କରିବା ଓ ତିଆରି କରିବାର ନିର୍ଦ୍ଦେଶ ଦେଇଛନ୍ତି , ଏହାସହ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସାର୍ବଜନିକ ସ୍ଥାନ ଗୁଡ଼ିକରେ ବୁଲା କୁକୁରଙ୍କୁ କୌଣସି ବି ପରିସ୍ଥିତିରେ ଭୋଜନ ଦେବାର ଅନୁମତି ଦିଆ ଯିବ ନାହିଁ। ଆଦେଶରେ କୁହାଯାଇଛି , ଯଦି ଉଲ୍ଲଙ୍ଘନ କରାଯାଏ ତ , ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ। ପୌରସଂସ୍ଥା ଅଧିକାରୀଙ୍କୁ ଉଲ୍ଲଙ୍ଘନର ସୂଚନା ଦେବା ପାଇଁ ହେଲ୍ପଲାଇନ୍ ନମ୍ୱର ମଧ୍ୟ ସ୍ଥାପିତ କରିବାକୁ କୁହାଯାଇଛି। ଖଣ୍ଡପୀଠ ଜୋର ଦେଇ କହିଛନ୍ତି ଯେ,କୌଣସି ବି ବ୍ୟକ୍ତି ବା ସଙ୍ଗଠନକୁ ବୁଲା କୁକୁରଙ୍କୁ ଧରିବାରେ ନାଗରିକ ସଂସ୍ଥା ଗୁଡ଼ିକର କାର୍ଯ୍ୟରେ ବାଧା ଦେବା ଉଚିତ୍ ନୁହେଁ। ବାଧାର ସାମ୍ନା କରୁଥିବା ସରକାରୀ କର୍ମଚାରୀ ଦାୟି ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ମୁକ୍ତ ରହିବେ ଏବଂ ବାଧା ସୃଷ୍ଟି କରୁଥିବା ପ୍ରତ୍ୟେକ ଏନଜିଓ କିମ୍ୱା ଜୀବପ୍ରେମୀଙ୍କୁ ୨୫,୦୦୦ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇ ପାରେ।




