ଆବେଦନକାରୀଙ୍କ ଉପରେ କାହିଁକି ରାଗି ଗଲେ ଓ ଏପରି କହିଲେ ପ୍ରଧାନବିଚାରପତି, କାହାକୁ ଫୋନ କରିଥିଲେ ସେ..

ଆବେଦନକାରୀଙ୍କ-ଉପରେ-କାହିଁକି-ରାଗି-ଗଲେ-ଓ-ଏପରି-କହିଲେ-ପ୍ରଧାନବିଚାରପତି,-କାହାକୁ-ଫୋନ-କରିଥିଲେ-ସେ.

ନୂଆଦିଲ୍ଲୀ ୨୩।୩: ମେଡିକାଲ ଆଡମିସନ ସମ୍ପର୍କିତ ଏକ ମାମଲାରେ ସୁପ୍ରିମକୋର୍ଟରୁ ମନମୁତାବକ ରାୟ ନ ମିଳିବାରୁ ଆବେଦନକାରୀଙ୍କ ପିତା ଚିଫ୍ ଜଷ୍ଟିସ୍ (ସିଜେଆଇ) ଙ୍କ ଭାଇଙ୍କୁ ଫୋନ କରିଥିଲେ। ସମ୍ପୃକ୍ତ ବ୍ୟକ୍ତି କୋର୍ଟଙ୍କ ଆଦେଶକୁ ନେଇ ନିଜର ଅସନ୍ତୋଷ ମଧ୍ୟ ସିଜେଆଇଙ୍କ ଭାଇଙ୍କ ନିକଟରେ ପ୍ରକାଶ କରିଥିଲେ। ସିଜେଆଇ ସୂର୍ଯ୍ୟକାନ୍ତ ଯେବେ ଏ କଥା ଜାଣିଲେ କୋର୍ଟରେ ଖୋଲାଖୋଲି କଡ଼ା ଶବ୍ଦରେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସିଜେଆଇଙ୍କ ଅସନ୍ତୋଷ
ମାମଲା ଯେବେ ବୁଧବାର ଶୁଣାଣି ନିମନ୍ତେ ଆସିଲା ସିଜେଆଇ ଆବେଦନକାରୀଙ୍କ ଓକିଲଙ୍କୁ କହିଲେ ଆପଣ ଜାଣନ୍ତିକି ଆପଣଙ୍କ ମହକିଲଙ୍କ ପିତା କଣ କରିଛନ୍ତି? ନା କୋର୍ଟରେ ଆମକୁ ଜଣାଇବାକୁ ପଡିବ? ସେ ମୋ ଭାଇଙ୍କୁ ଫୋନ କରି କହିଛନ୍ତି ମୁଁ କିପରି ଏହି ଆଦେଶ ପାସ୍ କଲି? କଣ ସେ ନିର୍ଦ୍ଧାରଣ କରିବେ ମୁଁ କିପରି ଆଦେଶ ଦେବି? ତାଙ୍କ ବିରୋଧରେ ଆବମାନନାର ମାମଲା କାହିଁକି ଚଳାଯିବନି? ଆପଣ ପ୍ରଥମେ ଏହା ପୁଷ୍ଟି କରନ୍ତୁ ଓ ଯଦି ଆପଣଙ୍କ ମହକିଲ ଖରାପ ଆଚରଣ କରୁଛନ୍ତି ଆପଣ ଓକିଲ ହୋଇଥିବାରୁ ପ୍ରଥମେ ତାଙ୍କ ମାମଲାରୁ ଆପଣଙ୍କୁ ପୃଥକ କରି ନିଅନ୍ତୁ।

କ୍ଷମାମାଗିଲେ ଓକିଲ
ଏହା ପରେ ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ମୋତେ ଏହି ଘଟଣା ସମ୍ପର୍କରେ କିଛି ଜଣା ନାହିଁ ଓ ଏଥି ପାଇଁ କୋର୍ଟଙ୍କୁ କ୍ଷମା ଯାଚନା କରୁଛି। ଏଥିରେ ପୀଠ କହିଛନ୍ତି ଯେ ଯଦି ମହକିଲ ଭୁଲ ଆଚରଣ କରୁଛନ୍ତି ତେବେ ଓକିଲ ପ୍ରଥମେ ତଥ୍ୟ ଯାଞ୍ଚ କରନ୍ତୁ ଓ ଆବଶ୍ୟକତା ପଡିଲେ ମାମଲାରୁ ନିଜକୁ ପୃଥକ କରି ନିଅନ୍ତୁ। କୋର୍ଟ ଏହା ବି ସଂକେତ ଦେଇଛନ୍ତି ଯେ ହରିୟାଣାର ଅଧିକାରୀଙ୍କୁ ମଧ୍ୟ ପ୍ରଭାବିତ କରିବାକୁ ଉଦ୍ୟମ କରାଯାଇଛି।

ବୌଧ ଓ ସଂଖ୍ୟା ଲଘୁ କୋଟାରେ ମେଡିକାଲ ଆଡମିସନର ଦାବି
ଏହି ମାମଲା ଦୁଇ ସାଧାରଣ ବର୍ଗର ଅଭ୍ୟାର୍ଥୀଙ୍କ ଆବେଦନ ସମ୍ପର୍କିତ। ଏମାନେ ଉତ୍ତରପ୍ରଦେଶ ସୁଭାରତୀ ମେଡିକାଲ କଲେଜରେ ପିଜି ମେଡିକାଲ କୋର୍ସରେ ବୌଧ ସଂଖ୍ୟାଲଘୁ କୋଟାରେ ଆଡମିସନ ଦେବାକୁ ଦାବି କରିଛନ୍ତି। ଏହି ସଂସ୍ଥା ବୌଧ ସଂଖ୍ୟାଲଘୁ ଶିକ୍ଷଣ ସଂସ୍ଥା ଭାବେ ଘୋଷିତ।

ଧର୍ମ ପରିବର୍ତ୍ତନକୁ ନେଇ ପୂର୍ବରୁ ସନ୍ଦେହ କରିଥିଲେ କୋର୍ଟ
ଆବେଦନକାରୀ ଦାବି କରିଛନ୍ତି ଯେ ସେ ବୌଧ ଧର୍ମ ଅବଲମ୍ବନ କରୁଛନ୍ତି ଓ ଏବାବଦେ ଉପମଣ୍ଡଳ ଅଧିକାରୀଙ୍କ ଦ୍ୱାରା ଜାରି ପ୍ରମାଣପତ୍ର ମଧ୍ୟ ଉପସ୍ଥାପନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜାନୁୟାରୀରେ ଶୁଣାଣି କାଳରେ ସୁପ୍ରିମକୋର୍ଟ ଧର୍ମ ପରିବର୍ତ୍ତନର ମାନସିକତାକୁ ନେଇ ସନ୍ଦେହ କରିଥିଲେ। କହିଥିଲେ ଏହା ସଂଖ୍ୟା ଲଘୁଙ୍କ କୋଟାର ଲାଭ ନେବାକୁ ଉଦ୍ୟମ ଭଳି ଲାଗୁଛି।

ସଂଖ୍ୟାଲଘୁ ପ୍ରମାଣପତ୍ର ଯାଞ୍ଚ ପାଇଁ ଆଦେଶ
ସିଜେଆଇ ପୂର୍ବ ଶୁଣାଣିରେ କହିଥିଲେ ଯେ ଉଭୟ ଆବେଦନକାରୀ ‘ପୁନିୟା’ ଜାତିର ଓ ଅଚାନକ ଧର୍ମ ପରିବର୍ତ୍ତନ କରି ସଂଖ୍ୟାଲଘୁ କୋଟାର ଲାଭ ନେବା ସନ୍ଦିଗ୍ଧ ଲାଗୁଛି। ଏଣୁ କୋର୍ଟ ସେମାନଙ୍କ ସଂଖ୍ୟାଲଘୁ ପ୍ରମାଣପତ୍ର ଯାଞ୍ଚ ପାଇଁ ଆଦେଶ ଦେଇଥିଲେ। ଆଜିର ଶୁଣାଣି କାଳରେ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ କୌଣସି ବି ଉଦ୍ୟମ ବରଦାସ୍ତ କରାଯିବ ନାହିଁ ଓ ମାମଲାର ଶୁଣାଣି ଆଗକୁ ବି ଜାରି ରହିବ।

Scroll to Top