ଆଫଗାନିସ୍ତାନ ଉପରେ ପୁଣି ପାକିସ୍ତାନର ବିମାନ ଆକ୍ରମଣ, କାବୁଲ ସମେତ ଅନ୍ୟ ସହରକୁ କଲା ଟାର୍ଗେଟ୍

ଆଫଗାନିସ୍ତାନ-ଉପରେ-ପୁଣି-ପାକିସ୍ତାନର-ବିମାନ-ଆକ୍ରମଣ,-କାବୁଲ-ସମେତ-ଅନ୍ୟ-ସହରକୁ-କଲା-ଟାର୍ଗେଟ୍

କାବୁଲ ୧୦।୧୦: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ପୁଣି ଥରେ ଆଞ୍ଚଳିକ ସୁରକ୍ଷାକୁ ନେଇ ଚିନ୍ତା ବଢାଇଛି। ପାକିସ୍ତାନ ପୁଣି ଥରେ ଶୁକ୍ରବାର ଆଫଗାନିସ୍ତାନ ବାୟୁ ସୀମା ଉଲ୍ଲଂଘନ କରିଛି। ପାକିସ୍ତାନୀ ଏୟାରଫୋର୍ସ ଡୁରାଣ୍ଡ ଲାଇନ ନିକଟ ପକ୍ତିକା ପ୍ରାନ୍ତର ମରଘା ଅଞ୍ଚଳରେ ଏକ ଜନଗହଳିପୂର୍ଣ୍ଣ ବଜାରକୁ ଟାର୍ଗେଟ କରିଛି। କେବଳ ଏତିକି ନୁହେଁ ପାକିସ୍ତାନୀ ବାୟୁ ସେନା ରାଜଧାନୀ କାବୁଲ ଉପରେ ମଧ୍ୟ ଆକାଶ ସୀମା ଉଲ୍ଲଂଘନ କରିଛି।

ଆଫଗାନ ଅଧିକାରୀମାନେ ଏହି କୃତ୍ୟକୁ ଏପର୍ଯ୍ୟନ୍ତର ସବୁଠୁ ଗୁରୁତର ଓ ନିନ୍ଦନୀୟ କୃତ୍ୟବୋଲି କହିଛନ୍ତି। ସେମାନେ କହିଛନ୍ତି ଯେ ଏହା ଆଫଗାନିସ୍ତାନ ଓ ପାକିସ୍ତାନ ଇତିହାସର ସବୁଠୁ ହିଂସକ ଓ ନିନ୍ଦନୀୟ କାର୍ଯ୍ୟାନୁଷ୍ଠାନ। ଆଫଗାନ ପ୍ରଶାସନ କହିଛି ଆମେ ଏଭଳି ଉଲ୍ଲଂଘନକୁ କଡ଼ା ନିନ୍ଦା କରୁଛୁ। ଆଫଗାନିସ୍ତାନର ସାର୍ବଭୌମତ୍ୱକୁ ରକ୍ଷା କରିବା ଆମର ବୈଧ ଅଧିକାର। ଏଣୁ ଏପରି କାର୍ଯ୍ୟାନୁଷ୍ଠାନ ଯଦି ଦୋହରା ଯାଏ ତେବେ ଏହାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡିବ ବୋଲି ଆଫଗାନ କର୍ତ୍ତୃପକ୍ଷ ଚେତାଇ ଦେଇଛନ୍ତି।

ଏହା ପୂର୍ବରୁ ଗୁରୁବାର ରାତିରେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ତହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର କେତେକ ଆଡ୍ଡା ଉପରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିଥିଲା। ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ ଏହି ଏୟାର ଷ୍ଟ୍ରାଇକ୍ ର ଉଦ୍ଦେଶ୍ୟ ଟିଟିପି ନେତା ମୁଫ୍ତି ନୁର ବଲି ମହସୂଦକୁ ଟାର୍ଗେଟ୍ କରିବା ଥିଲା। ଏହି ଆକ୍ରମଣ ପରେ ତାଲିବାନ କଡା ପ୍ରତିକ୍ରିୟା ଦେଇଥିଲା। ଭାରତ ଗସ୍ତରେ ଥିବା ତାଲିବାନ ବିଦେଶମନ୍ତ୍ରୀ ଅମୀର ଖାନ ମୁତ୍ତକୀ କହିଛନ୍ତି ଯେ ‘ପାକିସ୍ତାନ ଆମ ସହିତ ଖେଳ ଖେଳିବା ବନ୍ଦ କରୁ। ତାଲିବାନକୁ ଅଧିକ ଉସକାଅ ନାହିଁ, ଯଦି ତୁମେ ଏପରି କରୁଛ ଥରେ ବ୍ରିଟେନ ଓ ଆମେରିକାକୁ ପଚାରି ଦିଅ। ସେମାନେ ତୁମକୁ ବୁଝାଇ ଦେବେ ଆଫଗାନିସ୍ତାନ ସହିତ ଖେଳ ଖେଳିବା ଠିକ୍ ନୁହେଁ। ଆମେ ଏକ କୂଟନୈତିକ ରାସ୍ତା ଚାହୁଁଛୁ’।

ଏଥିରେ ଆଫଗାନିସ୍ତାନ ମିଡିଆ ‘ଟୋଲୋ ନ୍ୟୁଜ୍’ ମୁଫ୍ତି ନୁର ବଲି ମହସୁଦଙ୍କ ଏକ ଅଡିଓ ବାର୍ତ୍ତା  ଜାରି କରିଛି। ଏଥିରେ ସେ କହିଛନ୍ତି ଯେ ମୋ ଉପରେ କୌଣସି ପ୍ରକାରର ଆକ୍ରମଣ ହୋଇ ନାହିଁ। ପାକିସ୍ତାନ ଏହି ଏୟାର ଷ୍ଟ୍ରାଇକ୍ ଏପରି ସମୟରେ କରୁଛି ଯେତେବେଳେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଅଛନ୍ତି। ଏହି ଗସ୍ତ ପାଖାପାଖି ୭ ଦିନର ଓ ଏହି ଗସ୍ତ କାଳରେ ଭାରତ-ଆଫଗାନ ସମ୍ପର୍କ ଓ ଆଞ୍ଚଳିକ ସ୍ଥିରତା ଉପରେ ଚର୍ଚ୍ଚା ହେଉଛି। ଏହି ଘଟଣାକ୍ରମ କାଳରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଲଗାତାର ଉତ୍ତେଜନା ବଢିବାରେ ଲାଗିଛି।

Scroll to Top