ଚଣ୍ଡୀଗଡ଼: ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ଏବେ ତାଙ୍କୁ ଗିରଫ କରାଯାଇଛି । ପଞ୍ଜାବ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପୂର୍ବତନ ମନ୍ତ୍ରୀ ଲାଲଜିତ ସିଂହଙ୍କୁ ଗିରଫ କରାଯାଇଛି । ଅମୃତସର ଗୋଦାମ ପରିଚାଳକ ଗଗନଦୀପ ସିଂହ ରନ୍ଧାୱାଙ୍କ ଆତ୍ମହତ୍ୟା ମାମଲାରେ ପୂର୍ବତନ ପଞ୍ଜାବ ସରକାରଙ୍କ ମନ୍ତ୍ରୀ ଲାଲଜିତ ସିଂହ ଭୁଲ୍ଲରଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ଗିରଫଦାରୀ କରାଯାଇଛି। ଫତେଗଡ଼ ସାହିବ ଜିଲ୍ଲା ପୋଲିସ ତାଙ୍କୁ ପଞ୍ଜାବର ମଣ୍ଡି ଗୋବିନ୍ଦଗଡ଼ରୁ ଗିରଫ କରିଛି। ପୋଲିସ ଲାଲଜିତ ଭୁଲ୍ଲରଙ୍କୁ ଅମୃତସର ନେଇଛି। ପୂର୍ବତନ ମନ୍ତ୍ରୀଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯିବ।
ରନ୍ଧାୱାଙ୍କ ପୋଷ୍ଟମର୍ଟମ ଏପର୍ଯ୍ୟନ୍ତ ହୋଇନାହିଁ। ତାଙ୍କ ମୃତଦେହକୁ ଅମୃତସରର ଏକ ହସ୍ପିଟାଲରେ ରଖାଯାଇଛି। ସୋମବାର ଦିନ, ଡିସିପି ରବିନ୍ଦର ପାଲ ସିଂହ ଏବଂ ତାଙ୍କ ଦଳ ଗଗନଦୀପଙ୍କ ମୋବାଇଲ୍ ଫୋନ୍ ଉଦ୍ଧାର କରିବା ପାଇଁ ପରିବାରକୁ ଭେଟିଥିଲେ। ପରିବାର ଅଭିଯୁକ୍ତଙ୍କ ଗିରଫଦାରୀ ଦାବି କରିଥିଲେ। ରବିବାର ଦିନ ବିରୋଧୀ ଦଳଗୁଡ଼ିକ ଚଣ୍ଡୀଗଡ଼ରେ ରନ୍ଧାୱା ଆତ୍ମହତ୍ୟା ମାମଲାରେ ଭୁଲ୍ଲରଙ୍କ ଗିରଫଦାରୀ ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପ୍ରତିବାଦ କରିଥିଲେ । ସରକାରଙ୍କଠାରୁ ନ୍ୟାୟ ପାଇଁ ଦାବି କରିଥିଲେ। ତଦନ୍ତ ପାଇଁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇପାରେ।
ଆଇନ ସମସ୍ତଙ୍କ ପାଇଁ ସମାନ: ମୁଖ୍ୟମନ୍ତ୍ରୀ ମାନ୍
ଗଗନଦୀପ ସିଂହ ରନ୍ଧାୱା ଆତ୍ମହତ୍ୟା ମାମଲାରେ ପୂର୍ବତନ ମନ୍ତ୍ରୀ ଲାଲଜିତ୍ ଭୁଲ୍ଲରଙ୍କ ଇସ୍ତଫାପତ୍ରକୁ ପଞ୍ଜାବ ସରକାର ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ମନ୍ତ୍ରୀ ହୁଅନ୍ତୁ କି କନେଷ୍ଟବଳ ସମସ୍ତଙ୍କ ପାଇଁ ଆଇନ ସମାନ । ଦୁର୍ନୀତି ପ୍ରତି ଆମର ନୀତି ଶୂନ୍ୟ ସହନଶୀଳତା। ଆମେ ପୂର୍ବରୁ ଏହି ସମ୍ପର୍କରେ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ।
ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ହୋଇପାରେ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଦିନ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯଦି ପଞ୍ଜାବର ସମସ୍ତ ସାଂସଦ ଏହି ବିଷୟରେ ତାଙ୍କୁ ଅନୁରୋଧ କରି ଚିଠି ଲେଖିବେ, ତେବେ ସେ ତୁରନ୍ତ ରାଜ୍ୟ ଗୋଦାମ ନିଗମ ଅଧିକାରୀଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବେ। ଏହି ପ୍ରସଙ୍ଗକୁ ଲୋକସଭାରେ ଅମୃତସରର କଂଗ୍ରେସ ସାଂସଦ ଗୁରଜିତ ସିଂହ ଆଉଜଲା ଉଠାଇଥିଲେ। ସେ ଅଭିଯୋଗ କରିଥିଲେ ଯେ, ଭୁଲ୍ଲର ଅଧିକାରୀଙ୍କଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ ।




