ଭୁବନେଶ୍ବର ୨୧।୧୦: ବିଜେଡି କର୍ମୀଙ୍କୁ ଆକ୍ରମଣରେ ବିଜେପି ବିଧାୟକ ଅମରେନ୍ଦ୍ର ଦାସଙ୍କ ହାତଥିବା ଅଭିଯୋଗ ଆଣିଲା ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଟାର୍ଗେଟ କ ବିଜେଡି ସାଂସଦ ସୁଲତା ଦେଓ ଏବଂ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ ।
ସାଂସଦ ସୁଲତା ଦେଓ କହିଛନ୍ତି, ସଭ୍ୟ ସମାଜକୁ ବିଚଳିତ କଲା ଭଳି ଚିତ୍ର ସାମ୍ନାକୁ ଆସିଛି । ବିଜେଡି ସୋସିଆଲ ମିଡ଼ିଆର ସକ୍ରିୟ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ତାଙ୍କ ମୁଣ୍ଡରେ ୮ରୁ ୯ଟି ଷ୍ଟିଜ୍ ପଡିଛି । ସୋସିଆଲ ମିଡ଼ିଆରେ ଜଣେ କହୁଛି ବୋଲି ମାରି ଦେବାକୁ ଉଦ୍ୟମ ହେଉଛି । ଆପଣଙ୍କୁ କେହି ସମାଲୋଚନା କରିବେନି, ଆପଣ କ’ଣ ଏକଛତ୍ରବାଦ ବୋଲି ପ୍ରଶ୍ନକଲେ ସୁଲତା ।
ସେହିଭଳି ଇପସିତା ସାହୁ କହିଛନ୍ତି, ସୋସିଆଲ ମିଡିଆରେ ପୋଷ୍ଟ କଲା ବୋଲି ତା ନାଁରେ ମିଛ କେଶ ଦିଆଯାଇଥିଲା । ଆଜି ମହିଳା ଅସୁରକ୍ଷିତ । କାହିଁକି ମହିଳାଙ୍କ ଉପରେ ବଢୁଛି ନିର୍ଯାତନା । ଓଡ଼ିଶାରେ ଏଭଳି ଅରାଜକତା ଚାଲିଛି । ସ୍ବାଧୀନ ଭାବରେ କହିବା ଅଧିକାର ନାହିଁ ? ଦୀପାବଳି ସମୟରେ ଘରେ ପଶି ମରଣାନ୍ତକ ଆକ୍ରମଣ ହେଉଛି । ସେ ଏଫଆଇଆର ଦେବାକୁ ଯାଇଛନ୍ତି, ପୋଲିସ ଏଫଆଇଆର କରୁନି । ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ଲୋକ ଏହି ଆକ୍ରମଣ କରିଛନ୍ତି । ବିଜେପି ସୋସିଆଲ ମିଡ଼ିଆରେ ଡାଉନ ହେବାକୁ ଲାଗିଲାଣି । ଯଦି ଅପରାଧୀଙ୍କୁ ପୋଲିସ ଗିରଫ ନକରେ ଆମେ ଜାଣିବୁ ବିଧାୟକଙ୍କ ନିର୍ଦ୍ଦେଶରେ ପୋଲିସ ଚାଲିଛି । ଆମେ ଗ୍ରାଉଣ୍ଡକୁ ଯାଇ ପ୍ରଶ୍ନ କରିବୁ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟି ହୋଇଥିଲା । ଆକ୍ରମଣର ଶିକାର ହୋଇଥିବା ମହିଳା ପଟସରା ଗାଁର । ଉଭୟ ପକ୍ଷରୁ ଜଗତସିଂହପୁର ସଦର ଥାନାରେ ଏତଲା ହୋଇଛି । ସେ ବିଜେଡିର ଜଣେ ସକ୍ରିୟ କର୍ମୀ । ସେ ସୋସିଆଲ ମିଡିଆରେ ବିଜେଡିର ପୋଷ୍ଟ କରୁଥିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ଆହତ ମହିଳା କହିଛନ୍ତି । ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।




