ମୁମ୍ବାଇ ୧୪।୮: ବମ୍ବେ ହାଇକୋର୍ଟ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ କେବଳ ଆଧାର, ପାନ ଅଥବା ଭୋଟର ଆଇଡି ଥିଲେ କେହି ଭାରତୀୟ ନାଗରିକ ହୋଇଯାଏନି। ଏହି ଡକ୍ୟୁମେଣ୍ଟ କେବଳ ପରିଚୟ ଓ ସରକାରୀ ସେବା ନେଣଦେଣରେ ଆବଶ୍ୟକ ହୋଇଥାଏ, ତେବେ ନାଗରିକତା ନିର୍ଦ୍ଧାରଣ କରିବାକୁ ନୁହେଁ। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଅମିତ ବୋରକର ଜଣେ ବାଂଲାଦେଶୀଙ୍କ ଜାମିନ ନିବେଦନ ଶୁଣାଣିରେ ଏହା କହିଛନ୍ତି ଓ ତାଙ୍କ ଜାମିନ ନିବେଦନ ଅଗ୍ରାହ୍ୟ କରିଦେଇଛନ୍ତି।
ଅଭିଯୁକ୍ତ ବିନା ପାସପୋର୍ଟ ଓ ଯାତ୍ରା କାଗଜପତ୍ରରେ ଅବୈଧ ରୂପେ ଭାରତକୁ ପାଶି ଆସିଥିବା ଓ ଗତ ୧୦ ବର୍ଷ ହେଲା ନକଲୀ କାଗଜପତ୍ରରେ ଭାରତରେ ରହୁଥିବାର ଅଭିଯୋଗ ହୋଇଛି। ଅଭିଯୁକ୍ତର ନାମ ବାବୁ ଅବଦୁଲ ଋଉଫ ସର୍ଦ୍ଦାର ଓ ସେ ନକଲୀ କାଗଜପତ୍ରରେ ଆଧାର, ପାନ, ଭୋଟର ଆଇଡି ଓ ଏପରିକି ଭାରତୀୟ ପାସପୋର୍ଟ ମଧ୍ୟ ତିଆରି ଦେଇଛି। ତେବେ କୋର୍ଟ କହିଛନ୍ତି ଯେ ୧୯୫୫ ସିଟିଜେନସିପ୍ ଆକ୍ଟ ଏହା ନିର୍ଦ୍ଧାରିତ କରିଥାଏ କିଏ ଭାରତୀୟ ନାଗରିକ ଓ ନାଗରିକତା କିପରି ମିଳେ । ଆଇନର ଏହି ପ୍ରାବଧାନକୁ କୌଣସି ପରିଚୟ ପତ୍ର ବଦଳାଇ ଦେଇ ପାରିବନି।
ଜଷ୍ଟିସ୍ ବୋରକର କହିଛନ୍ତି ଆଇନ ଅବୈଧ ପ୍ରବାସୀ ଓ ନାଗରିକଙ୍କ ମଧ୍ୟରେ ସ୍ପଷ୍ଟ ଅନ୍ତର ନିର୍ଦ୍ଧାରଣ କରିଛନ୍ତି। ଅଧିକତର ଆଇନଗତ ରାସ୍ତା ଅବୈଧ ପ୍ରବାସୀଙ୍କୁ ନାଗରିକତା ପ୍ରଦାନ କରିବାରେ ରୋକ ଲଗାଇଥାଏ। କୋର୍ଟ କହିଛନ୍ତି ଯେ ଏହି ଅନ୍ତର ଦେଶର ସାର୍ବଭୌମତ୍ୱକୁ ରକ୍ଷା କରିଥାଏ ଓ ସୁନିଶ୍ଚିତ କରିଥାଏ ଯେଉଁ ସୁବିଧା ଓ ସୁଯୋଗ ନାଗରିକଙ୍କ ନିମନ୍ତେ ରହିଛି ଏହା ଯେପରି ଅବୈଧ ରୂପେ ରହୁଥିବା ଲୋକଙ୍କୁ ନ ମିଳେ।
ତେବେ ପୋଲିସ କୋର୍ଟଙ୍କୁ କହିଛି ଯେ ଅଭିଯୁକ୍ତର କାଗଜପତ୍ର ଯାଞ୍ଚ ଏବେବି ପୁରା ହୋଇନି। ଏଥିରେ ଯଦି ତାକୁ ଜାମିନ ମିଳିଯାଏ ତେବେ ସେ ଫେରାର ହୋଇଯିବାର ଅନେକ ସମ୍ଭାବନା ରହିଛି। ପୋଲିସର ଏହି ଆଶଙ୍କାକୁ କୋର୍ଟ ଉପଯୁକ୍ତ ମନେ କରିଥିବା ବେଳେ କହିଛନ୍ତି ଯେ ମାମଲା କେବଳ ବିନା ଅନୁମତିରେ ଭାରତରେ ରହିବାର ନୁହେଁ ବରଂ ନକଲୀ ଓ ଜାଲି ପରିଚୟପତ୍ର ତିଆରି କରି ନିଜକୁ ଭାରତୀୟ ପ୍ରମାଣିତ କରିବା ପାଇଁ ଉଦ୍ୟମର ମଧ୍ୟ। ଏଣୁ ଜାମିନ ନିବେଦନ ଖାରଜ କରିଦେଇଛନ୍ତି।




