ତେହରାନ : ଇରାନର ସେନା ଦକ୍ଷିଣ-ପୂର୍ବ ପ୍ରଦେଶର ସିସ୍ତାନ ଓ ବେଲୁଚିସ୍ତାନରେ ଆତଙ୍କବାଦୀଙ୍କ ଏକ ଗ୍ରୁପ୍ ଉପରେ ଆକ୍ରମଣ କରି ଛଅ ଜଣ ସଦସ୍ୟଙ୍କୁ ମାରିବା ସହ ଆଉ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଶନିବାର ଇରାନ ଗୁଇନ୍ଦା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ମନ୍ତ୍ରଣାଳୟର ୱେବସାଇଟ୍ରେ ପ୍ରକାଶିତ ବୟାନ ଅନୁସାରେ, ଆତଙ୍କବାଦୀ ଗ୍ରୁପ୍, ଯେଉଁଥିରେ ସାତ ଜଣ ଅଣ-ଇରାନୀ ନାଗରିକ ସାମିଲ ଥିଲେ, ନିକଟରେ ଦେଶର ପୂର୍ବୀୟ ସୀମା ଦେଇ ଇରାନକୁ ଅନୁପ୍ରବେଶ କରି ଥିଲେ ଏବଂ ବିପଜ୍ଜନକ ଓ ଲକ୍ଷିତ ଆତଙ୍କବାଦୀ ଅଭିଯାନ ଚଲାଇବାକୁ ଚେଷ୍ଟା କରୁ ଥିଲେ। ବୟାନରେ ଅଭିଯାନର ତାରିଖ କଥା ଉଲ୍ଲେଖ କରାଯାଇ ନାହିଁ।
ବୟାନରେ କୁହାଯାଇଛି ଯେ, ଏହି ଆତଙ୍କବାଦୀ ବିଭିନ୍ନ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ବିସ୍ଫୋରକ ଉପକରଣ ସହ ଥିଲେ। ତାଙ୍କ ଠାରୁ ଜବତ ସାମଗ୍ରୀରେ ଲେଜର-ନିର୍ଦ୍ଦେଶିତ ଗ୍ରେନେଡ୍ ଲଞ୍ଚର, ଆମେରିକା ନିର୍ମିତ ମେସିନ ଗନ, ଗ୍ରେନେଡ୍ , ବିସ୍ଫୋରକ ଜ୍ୟାକେଟ୍, ଦୁଇ ପାଖ ରେଡିଓ, ଗୋଳା-ବାରୁଦ, କିଛି ବାହନ ଓ ମୋଟର ସାଇକେଲ ଅନ୍ତର୍ଭୁକ୍ତ ଥିଲା।
ମନ୍ତ୍ରଣାଳୟ ଅନୁସାରେ, ଏହି ଆତଙ୍କବାଦୀ ଗ୍ରୁପ୍ ଇରାନର ପୂର୍ବରେ ଏକ ମହତ୍ତ୍ୱପୂର୍ଣ୍ଣ କେନ୍ଦ୍ର ଉପରେ ହମଲା କରିବାର ଯୋଜନା କରୁଥିଲେ। ମନ୍ତ୍ରଣାଳୟ କହିଛି ଯେ, ଉପଲବ୍ଧ ପ୍ରମାଣ ଏହି ଆତଙ୍କବାଦୀ ସେଲ୍ ଇସ୍ରାଏଲ ସହ ଜଡ଼ିତ ଥିବା ସୂଚାଉଛି। ବିବୃତ୍ତି ଅନୁସାରେ , ଆତଙ୍କବାଦୀଙ୍କ ସହ କିଛି ଘଣ୍ଟା ଧରି ହୋଇଥିବା ଗୁଳି ବିନିମୟରେ ତିନି ଜଣ ଇରାନୀ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି।
ପାକିସ୍ତାନ ଓ ଆଫଗାନିସ୍ତାନର ସୀମାକୁ ଲାଗି ରହିଥିବା ସିସ୍ତାନ ଓ ବେଲୁଚିସ୍ତାନ ପ୍ରଦେଶରେ ନିକଟବର୍ତ୍ତୀ ବର୍ଷ ଗୁଡ଼ିକରେ ନାଗରିକ ଓ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ୍ କରି ଅନେକ ଆତଙ୍କବାଦୀ ହମଲା ହୋଇଛି। ଅର୍ଦ୍ଧ –ସରକାରୀ ଫାର୍ସ ନ୍ୟୁଜ୍ ଏଜେନ୍ସି ଅନୁସାରେ, ଶୁକ୍ରବାର ପ୍ରଦେଶରେ ଆତଙ୍କବାଦୀଙ୍କ ଦ୍ୱାରା ଦୁଇ ପାଟ୍ରୋଲିଂ ୟୁନିଟ୍ ଉପରେ କରାଯାଇ ଥିବା ଆକ୍ରମଣରେ ପାଞ୍ଚ ଜଣ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇ ଥିଲା।




