ନୂଆଦିଲ୍ଲୀ: ଉତ୍ତର ଭାରତର ମହିଳା ଓ ତାମିଲନାଡୁର ମହିଳାଙ୍କ ମଧ୍ୟରେ ସାମାଜିକ ମନଭାବକୁ ତୁଳନା କରି ବିବାଦରେ ଫସିଲେ ତାମିଲନାଡୁ ଶିଳ୍ପ ମନ୍ତ୍ରୀ ଟିଆରବି ରାଜା। ଆଜି ବି ଉତ୍ତର ଭାରତରେ ମହିଳାମାନଙ୍କର ମୂଲ୍ୟାଙ୍କନ ସେମାନଙ୍କ ସ୍ୱାମୀ କରନ୍ତି ବୋଲି ଟିଆର୍ବି ରାଜା କହି ନୂଆ ବିବାଦ ଛିଡ଼ା କରିଛନ୍ତି।
ଏଥିରାଜ ମହିଳା ମହାବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକଙ୍କୁ ସମ୍ବୋଧିତ କରି ଟିଆରବି ରାଜା କହିଛନ୍ତି, “ତାମିଲନାଡୁରେ ମହିଳା ହେବା ଏବଂ ଭାରତର ଅନ୍ୟ କୌଣସି ରାଜ୍ୟରେ ମହିଳା ହେବା ମଧ୍ୟରେ ପାର୍ଥକ୍ୟ ଅଛି। ୧୦୦ ବର୍ଷ ପୂର୍ବେ ଭାରତୀୟ ମହିଳାଙ୍କୁ ମଣିଷ ବୋଲି ବିବେଚନା କରାଯାଉନଥିଲା। ଉତ୍ତର ଭାରତରେ ପରିସ୍ଥିତି ଅପରିବର୍ତ୍ତିତ ରହିଛି। ଉତ୍ତର ଭାରତରେ, ଯେତେବେଳେ ଆମେ ଜଣେ ମହିଳାଙ୍କୁ ଭେଟୁ, ପ୍ରଥମ ପ୍ରଶ୍ନ ହେଉଛି, ତୁମ ସ୍ୱାମୀ କେଉଁଠି କାମ କରନ୍ତି? ତାମିଲନାଡୁରେ, ଜଣେ ମହିଳାଙ୍କୁ ପଚରାଯାଉଥିବା ପ୍ରଶ୍ନ ହେଉଛି, ତୁମେ କେଉଁଠି କାମ କର? ଏହି ପରିବର୍ତ୍ତନ ରାତାରାତି ଘଟେ ନାହିଁ। ଏଥିପାଇଁ ଏକ ଶତାବ୍ଦୀ କାମ ଲାଗିଥିଲା, ଅତନ୍ତଃ ପକ୍ଷେ ତାମିଲନାଡୁରେ।”
ରାଜାଙ୍କ ମନ୍ତବ୍ୟକୁ DMKର ବରିଷ୍ଠ ନେତା TKS ଏଲାଙ୍ଗୋଭାନ ସମର୍ଥନ କରିଛନ୍ତି। ସେ ଏଥିରେ ଯୋଡ଼ି ଆହୁରି କହିଛନ୍ତି, “ଉତ୍ତର ଭାରତରେ ମହିଳାମାନେ ଧାର୍ମିକ ପ୍ରଥା ଯୋଗୁ ପ୍ରାୟତଃ ଗୃହିଣୀ ହେବା ପର୍ଯ୍ୟନ୍ତ ସୀମିତ ରୁହନ୍ତି। ସେମାନେ ମନୁସ୍ମୃତିକୁ ଅନୁସରଣ କରନ୍ତି, ଯାହା ଆମେ କରୁ ନାହୁଁ। DMK ସରକାର ସର୍ବଦା ମହିଳାମାନଙ୍କୁ ସଶକ୍ତ କରିବା ପାଇଁ କାମ କରିଆସିଛି।” ତାମିଲନାଡୁର ଏହି ଦୁଇ ନେତାଙ୍କ ବୟାନ ଆସିବା ପରେ ଏହାକୁ ନେଇ ତୀବ୍ର ସମାଲୋଚନା କରାଯାଇଛି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, “ପୁଣି ଥରେ, ଡିଏମ୍କେ ସୀମା ଲଙ୍ଘନ କରି ୟୁପି, ବିହାର ଏବଂ ଉତ୍ତର ଭାରତକୁ ଅପମାନିତ କରୁଛି।” ଏନେଇ ସେ ତେଜସ୍ୱୀ ଯାଦବଙ୍କୁ ପ୍ରଶ୍ନ କରି ଲେଖିଛନ୍ତି “କଂଗ୍ରେସ ବିହାରକୁ ବିଡ଼ି ବୋଲି କହିଲା, ରେବନ୍ତ ରେଡ୍ଡୀ ବିହାରର ଡିଏନଏକୁ ଦୁର୍ବ୍ୟବହାର କଲେ, ଏହାପରେ ଡିଏମକେ କହିଲା ବିହାରର ଲୋକମାନେ ଶୌଚାଳୟ ସଫା କରୁଛନ୍ତି। ଆଉ ଏବେ ବିହାରୀ ଏବଂ ୟୁପି ମହିଳାଙ୍କ ଅପମାନ। ତେଜସ୍ୱୀ ଯାଦବ କାହିଁକି ଚୁପ୍?”
ଅନ୍ୟପଟେ ଡିଏମ୍କେ ନେତାଙ୍କ ବୟାନକୁ ତେଲେଙ୍ଗାନାର ପୂର୍ବତନ ବିଜେପି ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ ଏହି କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି “ଏହା ଡିଏମକେର ସଂକୀର୍ଣ୍ଣ ମାନସିକତାକୁ ଦର୍ଶାଉଛି। ଆପଣ ଧର୍ମକୁ ପ୍ରଗତି ସହିତ କିପରି ମିଶ୍ରଣ କରିପାରିବେ? ଡିଏମକେ ମହିଳାଙ୍କ ସହିତ ଭେଦଭାବ କରୁଛି। ତାମିଲନାଡୁର ମହିଳାମାନେ ମଧ୍ୟ ଏହାକୁ ଗ୍ରହଣ କରିବେ ନାହିଁ। ଏହା ଦୁର୍ଭାଗ୍ୟଜନକ। ଲୋକମାନେ ଡିଏମକେକୁ ଦଣ୍ଡ ଦେବା ଉଚିତ। ଏହା ଶସ୍ତା ରାଜନୀତି। ଆପଣ କିପରି ଜଣେ ମାଆ ସହିତ ଭେଦଭାବ କରିପାରିବେ?”
ତେବେ ତାମିଲନାଡୁରେ ଉତ୍ତର ବନାମ ଦକ୍ଷିଣ ଭାରତ ବିବାଦ ନୂଆ ନୁହେଁ। ଚଳିତ ବର୍ଷ ଆରମ୍ଭରେ ଅନ୍ୟ ଏକ ଘଟଣାରେ, ତାମିଲନାଡୁର ବରିଷ୍ଠ ମନ୍ତ୍ରୀ ଦୁରାଇ ମୁରୁଗାନ ଉତ୍ତର ଭାରତୀୟ ସଂସ୍କୃତିରେ ବହୁବିବାହ ଏବଂ ବହୁତନ୍ତ୍ରବାଦୀ ସାମିଲ ଥିବା ଅଭିଯୋଗ କରିଥିଲେ। ଏହାପରେ ତାଙ୍କ ବୟାନକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲେ।
ମାର୍ଚ୍ଚ ମାସରେ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରି ମୁରୁଗାନ କହିଥିଲେ, “ଆମ ସଂସ୍କୃତିରେ ଜଣେ ପୁରୁଷ ଗୋଟିଏ ମହିଳାଙ୍କୁ ବିବାହ କରନ୍ତି। କିନ୍ତୁ ଉତ୍ତର ଭାରତରେ, ଜଣେ ମହିଳା ପାଞ୍ଚ କିମ୍ବା ଦଶ ଜଣ ପୁରୁଷଙ୍କୁ ବିବାହ କରିପାରିବେ। ଏହା ସହିତ, ପାଞ୍ଚ ଜଣ ପୁରୁଷ ଗୋଟିଏ ମହିଳାଙ୍କୁ ବିବାହ କରିପାରିବେ। ଏହା ସେମାନଙ୍କର ସଂସ୍କୃତି। ଯଦି ଜଣେ ଯାଏ, ତେବେ ଆଉ ଜଣେ ଆସିବ।” ମୁରୁଗନଙ୍କର ଏହି ମନ୍ତବ୍ୟ ମହାଭାରତରେ ପାଞ୍ଚ ପାଣ୍ଡବଙ୍କ ସହିତ ଦ୍ରୌପଦୀଙ୍କ ବିବାହର କଥାକୁ ନେଇ ଟାର୍ଗେଟ୍ କରାଯାଇଥିଲା। ଯାହାକୁ ନେଇ ବଡ଼ ବିବାଦ ଦେଖା ଦେଇଥିଲା।




