ଭୁବନେଶ୍ୱର ୦୭/୧୧: ରବିବାର ସନ୍ଧ୍ୟାରେ ସରିବ ନୂଆପଡ଼ା ଉପନିର୍ବାଚନ । ତା’ ପୂର୍ବରୁ କୌଣସି ଦଳ ପ୍ରଚାର ପାଇଁ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ବିଜେଡି ମଧ୍ୟ ସଭାପତି ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତାକୁ ଦେଖାଇ ଭୋଟ ଟାଣିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି । ତେଣୁ ଦ୍ୱିତୀୟ ଥର ପାଇଁ ଶୁକ୍ରବାର ନବୀନଙ୍କର ମାରାଥନ୍ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଗତ ୩ ତାରିଖରେ ନବୀନ ପ୍ରଥମ ପର୍ଯ୍ୟାୟ ପ୍ରଚାରରେ ଯାଇ ନୂଆପଡ଼ାର କୋମନା ବ୍ଲକରେ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ୍ ଦେବାକୁ କହିଥିଲେ ।
ନବୀନ ଶୁକ୍ରବାର ସକାଳ ୧୧ଟା ୩୦ରେ ଖରିଆରରୋଡ୍ ଥାନା ନିକଟରେ ଥିବା ହେଲିପ୍ୟାଡରେ ପହଞ୍ଚିବେ । ସେଠାରୁ ରୋଡ୍ ସୋ’ରେ ନୂଆପଡ଼ା ପର୍ଯ୍ୟନ୍ତ ଯିବେ । ଏହି ଅବସରରେ ଖରିଆର ରୋଡ୍ର ଡାଗା ଛକ, ବିଜୁ ପଟ୍ଟନାୟକ ଛକ, ଲଖ୍ମନିଆ ପେଟ୍ରୋଲ ପମ୍ପ ଛକରେ ଉପସ୍ଥିତ ଜନସାଧାରଣଙ୍କୁ ନବୀନ ଉଦ୍ବୋଧନ ଦେବେ । ପରେ ସେ ରୋଡ୍ ସୋ’ରେ ନୂଆପଡ଼ା ଏନ୍ଏସିରେ ପହଞ୍ଚି ସୂର୍ଯ୍ୟନଗର ଛକ, ଗାୟତ୍ରୀ ମନ୍ଦିର ଛକ ଓ ଏକତା ଛକରେ ଜନତାଙ୍କୁ ଉଦ୍ବୋଧନ ଦେବେ ।
ଅପରାହ୍ନ ୩ଟାରେ ନୂଆପଡ଼ାର ପାରକୋଡ୍ରେ ସାଧାରଣ ସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ନବୀନ ବାବୁଙ୍କୁ ଦେଖିବା ପାଇଁ ଏ ସବୁ ସ୍ଥାନରେ ଲୋକେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ବିଜେପି ସରକାରକୁ ନୂଆପଡ଼ା ଉପନିର୍ବାଚନରେ ଲୋକେ ଉଚିତ ଶିକ୍ଷା ଦେବାକୁ ମନସ୍ଥ କରି ସାରିଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁ କହିଛନ୍ତି ।




