ଆଗୁଆ ଚାଲିଛି ରଥ ନିର୍ମାଣ କାମ, ସ୍ନାନ ପୂର୍ଣ୍ଣିମାର ଯଥେଷ୍ଟ ପୂର୍ବରୁ ଉଠିଲା ୩ ରଥର ଚାରି ନାହାକା
Published By: Ruby – Prameya-News7 Bureau | June 04, 2026 06:04 PM
NEWS7
ପୁରୀ ୪।୬: ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ବେଶ ଆଗୁଆ ଚାଲିଛି। ସ୍ନାନ ପୂର୍ଣ୍ଣିମାର ଯଥେଷ୍ଟ ପୂର୍ବରୁ ଉଠିଛି ତିନି ରଥର ଚାରି ନାହାକା। ରଥର ଦଣ୍ଡା ଉପରେ କଣ୍ଟା ବାଡ଼ିଆ ପରେ ଗରଗରା ଓ ପୋଲ ଗୟଳ ପଡିଥିଲା। ଏଥିସହ ଜଳଯନ୍ତ୍ର ଓ ଗୁଜ ସ୍ଥାପନ ସରିବା ପରେ ମହାରଣାଙ୍କ ନିର୍ଦ୍ଦେଶରେ ଭୋଇ ସେବକ ମାନେ ଗୁରୁବାର ଅପରାହ୍ନରେ ତିନି ରଥର ଚାରି ନାହାକା ଉଠାଇଛନ୍ତି। ଏଥିସହ ତୃତୀୟ ହରିବୋଲ ପକାଇଛନ୍ତି ଭୋଇ ସେବକ। ଏମିତି ଲାଗୁଛି ସତେ ଯେମିତି ଚଳିତବର୍ଷ ମହାପ୍ରଭୁଙ୍କର ଇଛା କିଛି ଅଲଗା ରହିଛି। ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ତିନି ରଥ ପ୍ରସ୍ତୁତ ହୋଇଯିବ ବୋଲି ଆଶା ରଖିଛନ୍ତି ରଥ ନିର୍ମାଣକାରୀ।
ଦେବସ୍ନାନ ପୂର୍ଣ୍ଣିମା ନ ଆସୁଣୁ ତିନି ରଥର ଅର୍ଦ୍ଧାଧିକ କାମ ସରିବାକୁ ବସିଲାଣି। ଟାର୍ଗେଟ ଥାଏ ଦେବସ୍ନାନ ପୂର୍ଣ୍ଣିମା ଦିନ ତିନି ରଥର ଚାରି ନାହାକା ଉଠିବ। କିନ୍ତୁ ଗୁରୁବାର ଅପରାହ୍ନରେ ଭୋଇ ସେବକ ମାନେ ମହାରଣାଙ୍କ ନିର୍ଦ୍ଦେଶରେ ତିନି ରଥର ଚାରି ନାହାକା ଉଠାଇବା ସହ ତୃତୀୟ ହରିବୋଲ ପକାଇଛନ୍ତି।
Also Read:- DMF ପାଣ୍ଠି ବଣ୍ଟନ ପାଇଁ ନୂଆ ନୀତି ଲାଗୁ, ଖଣି ଅଞ୍ଚଳ ପ୍ରଭାବ ଆଧାରରେ ମିଳିବ ଅର୍ଥ
ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ତିନି ରଥର ଛଅଟି ଚକ ସହିତ ତିନୋଟି ଅଖ ସଂଯୋଗ କରାଯାଇଥିବା ବେଳେ ଶୀତଳଷଷ୍ଠୀର ଯଥେଷ୍ଟ ପୂର୍ବରୁ ତିନି ରଥର ୩୬ଟି ଚକ ସହ ୧୮ଟି ଅଖ ସଂଯୋଗ ହୋଇ ଡେରା ଯାଇଥିଲା। ତେବେ ଚାରି ନାହାକା ଉଠିବା ପରେ ଗୁଜ, ଜଳଯନ୍ତ୍ର ସ୍ଥାପନ ଚାଲିଛି। ଏହାପରେ ଛନ୍ଦା ଗୟଳ ପକାଇ ତୀଖ ଗୁଜ ଓ ସାଲଗୁଜ ସଂଯୋଗ କରାଯାଇ ଚଉଦ ନାହାକା ଉଠାଯିବ ବୋଲି ଭୋଇ ସେବକ କହିଛନ୍ତି।




