ଭୁବନେଶ୍ୱର ୦୬।୧୧ : ଅଚାନକ ଖସିଲା ପାରଦ। କାର୍ତ୍ତିକ ମାସର ବିଦାୟ ସହ ରାଜ୍ୟରେ ପଶିଛି ଶୀତ। ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଖସିଛି। ପୂର୍ବରାତି ତୁଳନାରେ ସର୍ବନିମ୍ନ ତାପମାତ୍ରା ୨ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ କମିଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଶୀତ ପ୍ରକୋପ ଆହୁରି ବଢ଼ିପାରେ। ଆସନ୍ତା ୨ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ।
ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଦିନକ ତଳେ ଥିଲା ୧୫ । ଦାରିଙ୍ଗିବାଡ଼ିରେ ବି ପାରଦ ୧୪ ଡିଗ୍ରୀକୁ ଖସି ଆସିଛି। ଝାରସୁଗୁଡ଼ା ତାପମାତ୍ରା ପୂର୍ବ ରାତି ତୁଳନାରେ ୩.୩ ଡିଗ୍ରୀ କମି ୧୪.୫ ଡିଗ୍ରୀରେ ପହଞ୍ଚିଥିବାବେଳେ ଅନୁଗୁଳ ୧୫ ଡିଗ୍ରୀ ରେକର୍ଡ ହୋଇଛି। ପୂର୍ବ ରାତି ତୁଳନାରେ ଅନୁଗୁଳ ତାପମାତ୍ରା ୩ ଡିଗ୍ରୀ କମିଛି। ରାଉରକେଲା ସର୍ବନିମ୍ନ ତାପମାତ୍ରା ୧୫.୫, କେନ୍ଦୁଝର ୧୫.୨, ଢେଙ୍କାନାଳ ୧୫.୮ ଡିଗ୍ରୀ ରେକର୍ଡ ହୋଇଛି। ଢେଙ୍କାନାଳରେ ତାପମାତ୍ରା ଅସ୍ୱାଭାବିକ ହାରରେ କମିଛି। ପୂର୍ବ ରାତିରେ ୨୨.୧ ଡିଗ୍ରୀ ଥିବାବେଳେ ୬.୩ ଡିଗ୍ରୀ କମିଯାଇଛି ୨୪ ଘଣ୍ଟାରେ।
ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ଓ କଟକ ୧୭.୬ ଡିଗ୍ରୀ ରହିଛି। ଦିନକ ତଳେ ଭୁବନେଶ୍ୱର ୨୦.୮ ଡିଗ୍ରୀ ଓ କଟକ ୨୦.୨ ଡିଗ୍ରୀ ଥିଲା । ଭୁବନେଶ୍ୱରରେ ପୂର୍ବ ରାତି ତୁଳନାରେ ୩.୮ ଡିଗ୍ରୀ ଓ କଟକରେ ୨.୬ ଡିଗ୍ରୀ କମିଛି ତାପମାତ୍ରା । ନଭେମ୍ବର ପହିଲାରୁ ଆଜି ସୁଦ୍ଧା ଭୁବନେଶ୍ୱରରସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ କମିଛି। ନଭେମ୍ବର ୧ରେ ୨୫ ଡିଗ୍ରୀ, ୨ ତାରିଖରେ ୨୪ ଡିଗ୍ରୀ, ୩ ତାରିଖରେ ୨୨.୬ ଡିଗ୍ରୀ, ୪ ତାରିଖରେ ୨୦.୮ ଡିଗ୍ରୀ ଏବଂ ୫ ତାରିଖରେ ୧୭ ଡିଗ୍ରୀରେ ପହଞ୍ଚିଛି।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଏବେ ୧୦ ତାରିଖ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ୧୦ ତାରିଖ ପରେ ତାପମାତ୍ରା ଆହୁରି କମିବା ସହ ଶୀତ ବଢ଼ିବ । ଚଳିତବର୍ଷ ଶୀତ ପ୍ରକୋପ ଅଧିକ ରହିପାରେ ।




