ଭୁବନେଶ୍ଵର: ମଝିରେ ଆଉ ମାତ୍ର ଗୋଟିଏ ଦିନ । ୧୮ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଗୃହରେ ମୁହାଁ ମୁହିଁ ହେବେ ଶାସକ ଓ ବିରୋଧୀ ନେତା । ସରକାରଙ୍କୁ ଘେରିବାକୁ ମାଳ ମାଳ ପ୍ରସଙ୍ଗ ସହ ସଜବାଜ ହୋଇଛନ୍ତି ବିରୋଧୀ । ସେପଟେ ସବୁ ପ୍ରସଙ୍ଗରେ ବିରୋଧୀଙ୍କୁ ଉଚିତ୍ ଜବାବ୍ ଦେବାକୁ ମଧ୍ୟ ପୂରା ପ୍ରସ୍ତୁତି କରିଛି ଶାସକ ଦଳ । କିଏ କେଉଁ ପ୍ରସଙ୍ଗକୁ ଏଥର ମୁଦ୍ଦା କରିବେ, ଆଉ ସରକାର କେମିତି ଏହାର ମୁକାବିଲା କରିବେ ଚାଲନ୍ତୁ ଦେଖିବା । ଆସନ୍ତା କାଲି ବିଜେଡି, କଂଗ୍ରେସ ଓ ବିଜେପି ତିନି ଦଳ ନିଜ ନିଜର ବୈଠକ କରି ରଣନୀତି ପ୍ରସ୍ତୁତ କରିବେ।
ଆଉ ଦିନ ପରେ ଆରମ୍ଭ ହେବ ବିଧାନସଭାରେ ମୌସୁମୀ ଅଧିବେଶନ । ଶାସକ ବିରୋଧୀଙ୍କ ମୁହାଁମୁହିଁ ଭିତରେ ସରଗରମ୍ ହେବ ବିଧାନସଭା । ମାଳ ମାଳ ପ୍ରସଙ୍ଗ ସହ ସରକାରଙ୍କୁ ଘେରିବାକୁ ସଜବାଜ ହେଉଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଯୋଜନା ପ୍ରସ୍ତୁତ କରୁଛି ଶାସକ ଦଳ । ଚାଷୀ ଓ ସାର ସମସ୍ୟା ସହ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରିବା, ମହିଳା ବିରୋଧୀ ହିଂସା ବୃଦ୍ଧି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବ ବିଜେଡି |
ସେହିପରି ଅନାସ୍ଥା ପ୍ରସ୍ତାବ ଆଣିବାକୁ ସଜବାଜ ହେଉଛି କଂଗ୍ରେସ | ଏହାସହ ସାର ଅଭାବ, ଚାଷୀ ପଞ୍ଜିକରଣ, ନାରୀ ସୁରକ୍ଷା, ଆଇନ ଶୃଙ୍ଖଳା ଏବଂ ବେରୋଜଗାରୀ ପ୍ରସଙ୍ଗ ନେଇ ସରକାରଙ୍କୁ ଅଡୁଆରେ ପକାଇବାକୁ ରଣନୀତି କରିଛି କଂଗ୍ରେସ । ସେପଟେ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦିଆଯିବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆସନ୍ତା କାଲି ବିଜେଡି, କଂଗ୍ରେସ ଓ ବିଜେପି ତିନି ଦଳ ନିଜ ନିଜର ବୈଠକ କରି ରଣନୀତି ପ୍ରସ୍ତୁତ କରିବେ ।
ବିଧାନସଭାର ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ଆଜି ସର୍ବଦଳୀୟ ବୈଠକ କରି ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଳିଙ୍ଗ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଉପସ୍ଥିତ ଥିଲେ । ବିଧାନସଭାର ମୌସୁମୀ ଅଧିବେଶନ ୧୮ ତାରିଖରେ ଆରମ୍ଭ ହୋଇ ୨୫ ତାରିଖ ଯାଏଁ ଚାଲିବ । ଏହି ସ୍ବଳ୍ପ କାଳୀନ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିବ | ଗୋଟିଏ ଦିନ ପ୍ରାଇଭେଟ ମେମ୍ବର ବିଲ୍ ଏବଂ ଗୋଟିଏ ଦିନ ନୋ ଅଫିସ ଡେ ରହିଛି ।




