ନୂଆଦିଲ୍ଲୀ ୨୯।୧: କଂଗ୍ରେସ୍ ହାଇକମାଣ୍ଡଙ୍କ ସହିତ କଥିତ ମତପାର୍ଥକ୍ୟ ମଧ୍ୟରେ ଶଶି ଥରୁର ଗୁରୁବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ୩ ନେତାଙ୍କ ମଧ୍ୟରେ ଏହି ବୈଠକ ସଂସଦଭବନ ସ୍ଥିତ ଖଡଗେଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ବୈଠକ ସେତେବେଳେ ଅନୁଷ୍ଠିତ ହୋଇଛି ଯେତେବେଳେ କେରଳ ବିଧାନସଭା ନିର୍ବାଚନ ପ୍ରସ୍ତୁତି ନିମନ୍ତେ ଆୟୋଜିତ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ବୈଠକରେ ଥରୁର ଯୋଗ ଦେଇ ନଥିଲେ।
ତେବେ ଥରୁର ଏହି ବୈଠକରେ ଯୋଗ ଦେଇ ପାରିବେନି ବୋଲି ପୂର୍ବରୁ ପାର୍ଟି ନେତାମାନଙ୍କୁ ଜଣାଇଦେଇଥିଲେ। କାରଣ ତାଙ୍କର କେରଳ ଲିଟରେଚର ଫେଷ୍ଟିଭାଲକୁ ଯିବା ପୂର୍ବରୁ ନିର୍ଦ୍ଧାରିତ ଥିଲା। ଏଣୁ ସେ ବୈଠକକୁ ଆସିପାରିବେନି ବୋଲି ସୂଚିତ କରିଥିଲେ। ତେବେ ଆଜିର ସାକ୍ଷାତ ଆଲୋଚନା ପରେ ଥରୁର ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ତାଙ୍କ ସାକ୍ଷାତ ଆଲୋଚନାକୁ ଏକ ସାର୍ଥକ ବାର୍ତ୍ତା ବୋଲି କହିଥିବା ବେଳେ ଏଥି ପାଇଁ ରାହୁଲ ଓ ଖଡଗେଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଥରୁର ଏକ୍ସ ରେ ଲେଖିଛନ୍ତି ଯେ ‘ଆଜି ଅନେକ ବିଷୟରେ ଉତ୍ସାହଭରା ଓ ସାର୍ଥକ ଚର୍ଚ୍ଚା ନିମନ୍ତେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଧନ୍ୟବାଦ। ଭାରତର ଲୋକଙ୍କ ସେବାରେ ଆଗକୁ ଅଗ୍ରସର ହେଉଥିବା ବେଳେ ଆମେ ସବୁ ଗୋଟିଏ ପୃଷ୍ଠାରେ ଅଛୁ’। ଥରୁର ତାଙ୍କର ଏହି ପୋଷ୍ଟରେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଥରୁର, ଖଡଗେ ଓ ରାହୁଲ ଗାନ୍ଧି ଏକତ୍ର ବସିଥିବାର ଦେଖାଯାଇଛନ୍ତି।
Thanks to @INCIndia President @kharge ji and LS LoP @RahulGandhi ji for a warm and constructive discussion today on a wide range of subjects. We are all on the same page as we move forward in the service of the people of India. pic.twitter.com/T5l8jqkhUT
— Shashi Tharoor (@ShashiTharoor) January 29, 2026




