ଅଷ୍ଟ୍ରେଲିୟାରେ ପୁଣି ସାମୂହିକ ଗୁଳିକାଣ୍ଡ, ନ୍ୟୁ ସାଉଥୱେଲସ୍ ରେ ୩ମୃତ, ୧ ଆହତ

ଅଷ୍ଟ୍ରେଲିୟାରେ-ପୁଣି-ସାମୂହିକ-ଗୁଳିକାଣ୍ଡ,-ନ୍ୟୁ-ସାଉଥୱେଲସ୍-ରେ-୩ମୃତ,-୧-ଆହତ

ଲେକ୍ କାର୍ଗେଲିଗୋ ୨୨।୧: ଅଷ୍ଟ୍ରେଲିୟାର ନ୍ୟୁ ସାଉଥୱେଲସ୍ ରାଜ୍ୟରେ ସାମୂହିକ ଗୁଳିକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବଣ୍ଡିବିଚ୍ ଗୁଳିକାଣ୍ଡର ଠିକ୍ ୧ ମାସ ପରେ ଗୁରୁବାର ଲେକ୍ କାର୍ଗେଲିଗୋ ସହରରେ ଏହି ଗୁଳିକାଣ୍ଡ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ କରିଛି। ଏହି ଗୁଳିକାଣ୍ଡ ଏପରି ସମୟରେ ହୋଇଛି ଯେତେବେଳେ ବଣ୍ଡିବିଚ୍ ଗୁଳିକାଣ୍ଡ ଲାଗି ଦେଶରେ ଜାତୀୟ ଶୋକ ଦିବସ ପାଳିତ ହେଉଥିଲା।

ଦେଶରେ ଲଗାତାର ହେଉଥିବା ଏଭଳି କାଣ୍ଡ ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନ ଚିହ୍ନ ଲଗାଇଛି। ପୋଲିସ ସୂଚନା ଅନୁସାରେ ଗୁରୁବାର ଅପରାହ୍ନ ପାଖାପାଖି ୪ଟା ୪୦ ମିନିଟ୍ ରେ ଲେକ୍ କାର୍ଗେଲିଗୋର ୟେଲକିନ ଷ୍ଟ୍ରିଟ୍ ରେ ଏକ ଆବାସୀୟ ଘର ଉପରକୁ ଗୁଳି କରାଯାଇଛି। ଗୁଳିକାଣ୍ଡ ସୂଚନା ମିଳିବାମାତ୍ରେ ଜରୁରୀକାଳୀନ ସେବା ଏବଂ ୱେଷ୍ଟ ପୋଲିସ ଡିଷ୍ଟ୍ରିକ୍ଟର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁଳିକାଣ୍ଡରେ ୨ ଜଣ ମହିଳା ଓ ଜଣେ ପୁରୁଷ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗୁରୁତର ଅବସ୍ଥାରେ ହସ୍ପିଟାଲ ପହଞ୍ଚାଇଛି।

ପୋଲିସ କହିଛି ଯେ ଆକ୍ରମଣକାରୀ ଗୁଳିକାଣ୍ଡ ପରେ ଫେରାର ହୋଇଯାଇଛନ୍ତି। ତେବେ ସୁରକ୍ଷା କାରଣରୁ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କୁ ନିଜନିଜ ଘରେ ରହିବାକୁ କୁହାଯାଇଛି। ସେହିପରି ପୋଲିସ ଅଭିଯାନ ଶେଷ ନହେବା ପର୍ଯ୍ୟନ୍ତ କାହାରିକୁ ଘଟଣାସ୍ଥଳକୁ ନ ଆସିବା ପାଇଁ ଅଧିକାରୀ ନିବେଦନ କରିଛନ୍ତି। ପୋଲିସ ଏହି ଘଟଣା ସମ୍ପର୍କିତ ସବୁ ପୁରିସ୍ଥିତିର ଯାଞ୍ଚ ଆରମ୍ଭ କରିଛି। ଅଧିକାରୀ କହିଛନ୍ତି ଯେ ନୂଆ ସୂଚନା ମିଳିବାମାତ୍ରେ ତାହା ସାର୍ବଜନିକ କରାଯିବ। ସେହିପରି ଘଟଣା ସମ୍ପର୍କରେ ଯଦି କେହି କିଛି ଜାଣିଥାନ୍ତି ତେବେ ସେଣ୍ଟ୍ରେଲ ୱେଷ୍ଟ ପୋଲିସ ଅଥବା କ୍ରାଇମ ଷ୍ଟପର୍ସକୁ ସୂଚିତ କରିବାକୁ କୁହାଯାଇଛି।

ଏହି ଗୁଳିକାଣ୍ଡ ସେହିଦିନ ହୋଇଛି ଯେଉଁଦିନ ଅଷ୍ଟ୍ରେଲିୟା ୧୪ ଡିସେମ୍ବର ୨୦୨୫ରେ ସିଡନୀର ବଣ୍ଡି ବିଚ୍ ରେ ହନୁକା ଉତ୍ସବ କାଳରେ ହୋଇଥିବା ସାମୁହିକ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିଚାରଣ କରୁଥିଲା। ଅଧିକାରୀଙ୍କ ଅନୁସାରେ ବଣ୍ଡିବିଚ୍ ଆକ୍ରମଣରେ ସାମିଲ ଦୁଇ ଅଭିଯୁକ୍ତ କଥିତ ରୂପେ ଇସ୍ଲାମିକ ଷ୍ଟେଟ ଦ୍ୱାରା ପ୍ରେରିତ ଥିଲେ ଓ ଏହି ଘଟଣା ୧୯୯୬ ମସିହା ପରେ ଦେଶରେ ସବୁଠୁ ଘାତକ ସାମୂହିକ ଗୁଳିକାଣ୍ଡ ଥିଲା।

Scroll to Top