ଅଷ୍ଟ୍ରେଲିଆ ପହଞ୍ଚିବା ମାତ୍ରେ ଟ୍ରେନିଂ ଆରମ୍ଭ କଲା ଟିମ୍ ଇଣ୍ଡିଆ, ଝାଳ ବୁହାଇଲେ ରୋହିତ-କୋହଲି

ଅଷ୍ଟ୍ରେଲିଆ-ପହଞ୍ଚିବା-ମାତ୍ରେ-ଟ୍ରେନିଂ-ଆରମ୍ଭ-କଲା-ଟିମ୍-ଇଣ୍ଡିଆ,-ଝାଳ-ବୁହାଇଲେ-ରୋହିତ-କୋହଲି

ପର୍ଥ: ଦିନିକିଆ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ପହଞ୍ଚି ସାରିଛି ଭାରତୀୟ ଦଳ। ବରିଷ୍ଠ ତାରକା ଖେଳାଳି ବିରାଟ କୋହଲି  ଓ ରୋହିତ ଶର୍ମା ପର୍ଥ ପହଞ୍ଚିବା ମାତ୍ରେ ଖୁବ୍ ଅଭ୍ୟାସ କରିଛନ୍ତି। ରବିବାରଠୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ପ୍ରଥମ ଟ୍ରେନିଂ ସେସନରେ ଖୁବ୍ ଝାଳ ବୁହାଇଛି। ତେବେ ସଭିଙ୍କ ନଜର ଥିଲା ରୋହିତ ଓ ବିରାଟଙ୍କ ଉପରେ। ଦୀର୍ଘ ସମୟ ପରେ ଦୁଇ ତାରକା ଖେଳାଳିଙ୍କୁ ମଇଦାନରେ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିବ।

ଆଜିର ଟ୍ରେନିଂ ସେସନରେ ଦୁଇ ପୂର୍ବତନ ଭାରତୀୟ ବ୍ୟାଟର ନେଟ୍ସରେ ପ୍ରାୟ ୩୦ ମିନିଟ୍ ବ୍ୟାଟିଂ କରିଥିଲେ। ରୋହିତଙ୍କୁ ନେଟ୍ସରେ ସମୟ ବିତାଇବା ପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ଲମ୍ବା ସମୟ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।  ଭାରତୀୟ ଦଳ ଅକ୍ଟୋବର ୧୯ରୁ ଆରମ୍ଭ ହେଉଥିବା ଦିନିକିଆ ସିରିଜ୍ ପାଇଁ ବୁଧବାର ଓ ଗୁରୁବାର ଦୁଇଟି ଗ୍ରୁପରେ ପର୍ଥ ପହଞ୍ଚିଛି।

ଏହି ସିରିଜରେ କ୍ରିକେଟ୍ ଦୁନିଆର ନଜର ରୋହିତ ଓ ବିରାଟଙ୍କ ଉପରେ ରହିଛି। ଉଭୟ ଚଳିତ ବର୍ଷ ଆରମ୍ଭରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ଗତ ବର୍ଷ ବାର୍ବାଡୋସରେ ଟି-୨୦ ବିଶ୍ଵକପ୍ ଟ୍ରଫି ଜିତିବା ପରେ କ୍ରିକେଟର ଛୋଟ ଫର୍ମାଟକୁ ଅଲବିଦା କରିଥିଲେ ରୋ-କୋ। କେବଳ ଦିନିକିଆ ଫର୍ମାଟ୍‌ରେ ଦୁଇ ଖେଳାଳି ସକ୍ରିୟ ଅଛନ୍ତି। ଶେଷ ଥର ଚଳିତ ବର୍ଷ ଖେଳା ଯାଇଥିବା ଚାମ୍ପିଅନ୍ସ ଟ୍ରଫିରେ ଦୁଇ ତାରକା ଖେଳାଳିଙ୍କୁ  କ୍ରିକେଟ୍ ମଇଦାନରେ ଦେଖିବାକୁ ମିଳିଥିଲା। ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଦୁଇ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିଛି। ଏହି ସିରିଜ୍ ଅନ୍ତର୍ଜାତୀୟ କ୍ରିକେଟରେ ଦୁହିଁଙ୍କ ଭବିଷ୍ୟତକୁ ନେଇ ବହୁତ ମହତ୍ଵପୂର୍ଣ୍ଣ ବୋଲି କୁହାଯାଉଛି।

ବିଶ୍ଵକପ୍ ୨୦୨୭ରେ ଦୁଇ ଖେଳାଳିଙ୍କ ଖେଳିବା ନେଇ ବର୍ତ୍ତମାନ କିଛି ସ୍ପଷ୍ଟ ହୋଇ ନାହିଁ। କାରଣ ସେହି ସମୟରେ ଉଭୟଙ୍କ ଫର୍ମ ଓ ଫିଟନେସ୍ ଉପରେ ବହୁତ କିଛି ନିର୍ଭର କରିବ। ତଥାପି ନୂଆ ଅଧିନାୟକ ଶୁଭମନ ଗିଲ୍ ଦୁଇ ସୁପରଷ୍ଟାରଙ୍କ ଅପାର ଅନୁଭବକୁ ଦେଖି ସେମାନଙ୍କ ସମର୍ଥନ କରିଛନ୍ତି। ଗୁରୁବାର ନେଟ୍ ସେସନ ପରେ କୋହଲିଙ୍କୁ ବୋଲିଂ କୋଚ୍ ମର୍ଣ୍ଣିଂ ମୋର୍କେଲଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି। ଦଳର ଶୁକ୍ରବାର ଓ ଶନିବାର ମଧ୍ୟ ଟ୍ରେନିଂ ସେସନ ରହିଛି।

Scroll to Top