ଅପରେସନ ‘ଗୋଲ୍ଡେନ ସ୍ୱୀପ୍’ରେ ଜବତ ହେଲା ୧୦.୫ କେଜି ସୁନା, ୧୩ ଗିରଫ

ଅପରେସନ-‘ଗୋଲ୍ଡେନ-ସ୍ୱୀପ୍’ରେ-ଜବତ-ହେଲା-୧୦.୫-କେଜି-ସୁନା,-୧୩-ଗିରଫ

ମୁମ୍ବାଇ ୧୧।୧୦: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ)ଙ୍କ ମୁମ୍ବାଇ ଜୋନାଲ ୟୁନିଟ୍ ଏକ ବିଶେଷ ଗୁଇନ୍ଦା ସୂଚନା ଆଧାରରେ ‘ଅପରେସନ ଗୋଲ୍ଡେନ ସ୍ୱିପ’ ନାମରେ ଏକ ଅଭିଯାନ ଚଳାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦର (ସିଏସଏମଆଇ)ରୁ ଏକ ବଡ଼ ସୁନା ତସ୍କର ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ଏହି କାର୍ଯ୍ୟାନୁଷ୍ଠାନରେ ବିଦେଶୀ ନାଗରିକ, ଏୟାରପୋର୍ଟ ଷ୍ଟାଫ ଓ ଅନ୍ୟ ସହଯୋଗୀ ମାନଙ୍କୁ ଗିରଫ କରାଯାଇଛି। ଡିଆରଆଇ ମୋଟ ୧୦.୪୮୮ କେଜି ୨୪ କ୍ୟାରେଟ ବିଦେଶୀ ସୁନା ଜବତ କରିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ୧୨.୫୮ କୋଟି ଟଙ୍କା କୁହାଯାଇଛି।

ଏହି ଅଭିଯାନରେ ଡିଆରଆଇ ମୋଟ ୧୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୨ ଜଣ ବାଂଲାଦେଶୀ ଥିବା ବେଳେ ୬ ଶ୍ରୀଲଙ୍କା ନାଗରିକ, ୨ ଏୟାରପୋର୍ଟ ‘ମିଟ୍ ଆଣ୍ଡ ଗ୍ରିଟ୍’ ସେବା କର୍ମଚାରୀ, ୨ ଜଣ ହ୍ୟାଣ୍ଡଲର ଓ ମାଷ୍ଟରମାଇଣ୍ଡ ଅଛନ୍ତି। ତଦନ୍ତ ବେଳେ ଏହି ଅନ୍ତର୍ଜାତୀୟ ଗ୍ୟାଙ୍ଗ ଅତ୍ୟନ୍ତ ଚାଲାକି ଓ ସତର୍କତାରେ ସଙ୍ଗଠିତ ରୂପେ କାମ କରୁଥିବାର ଜଣାପଡିଛି। ଏଥିରେ ଦୁବାଇରୁ ସିଙ୍ଗାପୁର, ବ୍ୟାଂକକ୍ ଓ ଢାକା ଯାଉଥିବା ଟ୍ରାଞ୍ଜିଟ୍ ଯାତ୍ରୀଙ୍କୁ ‘କ୍ୟାରିୟର’ କରାଯାଉଥିଲା, ଯେଉଁମାନେ ନିଜ ଶରୀରରେ ମହମରେ ଲୁଚା ଯାଇଥିବା ଅଣ୍ଡାକାର କ୍ୟାପସୁଲରେ ସୁନା ଆଣୁଥିଲେ।

ଏମାନେ ମୁମ୍ବାଇ ପହଞ୍ଚିବା ପରେ ଚୁପଚାପ୍ ଅନ୍ତର୍ଜାତୀୟ ଡିପାରେଚର ଏରିୟାରେ ମୁତୟନ ଏୟାରପୋର୍ଟ କର୍ମଚାରୀଙ୍କୁ ସୁନା ଦେଇ ଦେଉଥିଲେ। ଏୟାରପୋର୍ଟ ଷ୍ଟାଫ ଚୋରା ସୁନାକୁ ଏୟାରପୋର୍ଟରୁ ବାହାର କରି ହ୍ୟାଣ୍ଡଲର ଓ ରିସିଭରଙ୍କ ପର୍ଯ୍ୟନ୍ତ ପହଞ୍ଚାଉଥିଲେ। ଦୁବାଇରେ ବସି ମାଷ୍ଟରମାଇଣ୍ଡ ଏହି ସୁନା ତସ୍କରୀକୁ ସଫଳ କରୁଥିଲେ। ଡିଆରଆଇ ଏବେ ମାମଲାର ପରବର୍ତ୍ତି ଯାଞ୍ଚକରୁଛି।   

Scroll to Top