ଭୁବନେଶ୍ବର: ଅକ୍ଟୋବରରେ ପୁଣି ବାତ୍ୟା ଆଶଙ୍କା ! ଆସୁଛି ଲଘୁଚାପ। ଏହି ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨୧ ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ୨୩ ତାରିଖ ସୁଦ୍ଧା ଘନୀଭୂତ ହୋଇ ଅବପାତ ରୂପ ନେଇ ପଶ୍ଚିମ- ଉତ୍ତର- ପଶ୍ଚିମ ଆଡ଼କୁ ଗତିକରି ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳକୁ ଆସିବ । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଏହା କେତେ ଘନୀଭୂତ ହେବ ସେ ନେଇ ପୂର୍ବାନୁମାନ କରାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ତେବେଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ କି ନା ଏବେଠାରୁ କହିହେବ ନାହିଁ । ୨୧ ତାରିଖରୁ ଦକ୍ଷିଣ ବଙ୍ଗୋପସାଗର ପଟକୁ ମତ୍ସ୍ୟଜୀବୀଙ୍କୁ ନଯିବା ପାଇଁ ପାଣିପାଗ ବିଭାଗ ବାରଣ କରିଛି।
ରାଜ୍ୟକୁ ପ୍ରାୟତଃ ଅକ୍ଟୋବର ମାସରେ ବାତ୍ୟା ଭୟ ରହି ଆସିଛି। ବିଗତ ବର୍ଷ ମାନଙ୍କରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଅକ୍ଟୋବର ଓଡ଼ିଶାରେ ବାତ୍ୟା ହୋଇଥିବା ରେକର୍ଡ ରହିଛି। ୧୯୯୯ ଅକ୍ଟୋବର ୨୯ରେ ସୁପର ସାଇକ୍ଲୋନ ହୋଇଥିଲା। ଏହା ପୂର୍ବରୁ ୧୯୭୧ ରେ ଅକ୍ଟୋବର ୨୬ ରୁ ୩୦ ପର୍ଯ୍ୟନ୍ତ ମଧ୍ୟ ଏକ ବଡ଼ ବାତ୍ୟା ହୋଇଥିବା ମଧ୍ୟ ତଥ୍ୟ କହୁଛି । ୧୯୯୯ ପରେ ୨୦୧୩ ଅକ୍ଟୋବର ୧୨ ରେ ଫାଇଲିନ ଓଡ଼ିଶା ଉପକୂଳ ଗୋପାଳପୁରରେ ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି କରିଥିଲା ।
୨୦୧୪ ଅକ୍ଟୋବରରେ ମଧ୍ୟ ବାତ୍ୟା ହୁଡହୁଡ ଆସିଥିଲା । ସେହିପରି ୨୦୨୪ ରେ ବାତ୍ୟା ‘ଦାନା’ ମଧ୍ୟ ଅକ୍ଟୋବରରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ କ୍ଷତି ପହଞ୍ଚାଇଥିଲା । ଏବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ବାତ୍ୟା ଆଶଙ୍କାକୁ ପୁଣି ଉଜ୍ଜୀବିତ କରିଛି । ତେବେ କାହିଁକି ଏବେ ବାତ୍ୟା ଭୟ ଥିବା ଆଶଙ୍କା କରାଯାଉଛି ? ମୌସୁମୀ ଫେରିବା ପରେ ସମୁଦ୍ରର ତାପମାତ୍ରା ବୃଦ୍ଧି ପାଉଥିବାରୁ ବାଷ୍ପୀକରଣ ହେଉଛି। ଯାହା ଲଘୁଚାପ କ୍ଷେତ୍ର ସୃଷ୍ଟି ପାଇଁ ଶକ୍ତି ଯୋଗାଉଛି । ଅଧିକ ଶକ୍ତି ସଂଗ୍ରହ ହେଲେ ତାହା ବାତ୍ୟାର ରୂପ ନିଏ ବୋଲି ପରିବେଶବିତ କହିଛନ୍ତି । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ସମତଳ ହୋଇଥିବାରୁ ଅଧିକ ବାତ୍ୟାର ସମ୍ମୁଖୀନ ହୋଇଥାଏ । ମୌସୁମୀ ପୂର୍ବରୁ ଓ ମୌସୁମୀ ପରେ ବାତ୍ୟା ଆଶଙ୍କା ଅଧିକ ହୋଇଥାଏ ବୋଲି ପରିବେଶ ବିତ୍ କହିଛନ୍ତି ।
ଚଳିତ ବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ପ୍ରଥମ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ତେବେ ଏହି ଲଘୁଚାପ କେତେ ପରିମାଣର ଘନୀଭୂତ ହେଉଛି ତାହା ଉପରେ ପାଣିପାଗ ବିଶେଷଜ୍ଞଙ୍କ ନଜର ରହିଛି।




